ଉତ୍ତର ପ୍ରଦେଶ ର ବରେଲି ଏବଂ ବଦାୟୁ ସୀମାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଜୀବନ ନେଇଗଲା ଗୁଗୁଲ ମ୍ୟାପ। ଉତ୍ତରପ୍ରଦେଶରେ ବାଟ ଖୋଜିବାକୁ ଯାଇ ଅଧାଗଢା ବ୍ରିଜରୁ ତଳେ ପଡ଼ି ୩ ଜଣଙ୍କର ହୋଇଛି ମୃତ୍ୟୁ।
ଗୁରୁଗ୍ରାମର ବିବେକ ଓ ଅମିତ ଡ୍ରାଇଭରକୁ ଧରି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବାହାରିଥିଲେ। ଦତ୍ତାଗଞ୍ଜରୁ ଫରିଦପୁର ଅଭିମୁଖେ ଯାଉଥିବା ବେଳେ ସେମାନେ ରାସ୍ତା ଜାଣି ପାରିନଥିଲେ। ରାତି ହୋଇଥିବାରୁ କାହାରିକୁ ପଚାରି ରାସ୍ତା ବୁଝିବା ସମ୍ଭବ ହୋଇନଥିଲା।
ଶେଷରେ ସେମାନେ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରିଥିଲେ। ଜିପିଏସ୍ ଅନୁସାରେ ସେମାନେ ଆଗକୁ ବଢିଥିଲେ। ହେଲେ ଆଗରେ ଏକ ଅଧାଖଣ୍ଡିଆ ଫ୍ଲାଏଓଭର ବ୍ରିଜ ରହିଛି ବୋଲି ସେମାନେ ଜାଣି ପାରିନଥିଲେ। କାରଟି ବ୍ରିଜ ଉପରେ ଯାଉଥିବା ବେଳେ ହଠାତ୍ ୫୦ ଫୁଟ ତଳକୁ ଖସି ପଡିଥିଲା। ରାମଗଙ୍ଗା ନଦୀକୁ କାର୍ ଟି ଖସିପଡ଼ିବା ସହ ଡ୍ରାଇଭର ସମେତ ବିବେକ ଓ ଅମିତଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଜିପିଏସର ସଠିକତାକୁ ନେଇ ଉଠିଛି ପ୍ରଶ୍ନ।
ଗୁଗୁଲ ମ୍ୟାପ୍ ଭୁଲ୍ ତଥ୍ୟ ଦେବାରୁ ଉତ୍ତରପ୍ରଦେଶ ବରେଲିରେ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଘଟଣାରେ ତଦନ୍ତର ସାମନା କରିଛି ଗୁଗୁଲ ମ୍ୟାପ। କେମିତି ଓ କେଉଁ ପରିସ୍ଥିତିରେ ଫେଲ୍ ହେଲା ଗୁଗୁଲର ଜିପିଏସ୍ ।