ବିଜେଡି ଛାଡି ଏବେ ଅରିନ୍ଦମ ରାୟ ଦେଲେ ବଡ଼ ବୟାନ କହିଲେ, “ବିଜେଡି ହେଉଛି ଚୋର ଦଳ ଏବଂ ପାଣ୍ଡିଆନ…”

ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି ।

ଦଳୀୟ ଟିକେଟ୍‌ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍‌ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି । ଏହି କ୍ରମରେ ଅଭିନେତାରୁ ନେତା ହୋଇଥିବା ୪ ଜଣ ବ୍ୟକ୍ତି ବିଜେଡି ଛାଡ଼ିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଯୁବ ନେତା ଅରିନ୍ଦମ ରାୟ ଶଙ୍ଖ ଛାଡ଼ିଛନ୍ତି । ତେବେ ସୁନେଲି ପରଦାରେ ଅଭିନେତା ସାଜିଥିବା ନେତା ଅରିନ୍ଦମ ନିକଟରେ ବିଜେଡି ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେପିରେ ସାମିଲ ହୋଇଥିବା ଅରିନ୍ଦମ ରାୟ କହିଛନ୍ତି, ବିଜୁବାବୁଙ୍କ ନାମରେ ଆରମ୍ଭ ହୋଇଥିଲା ବିଜେଡି । କିନ୍ତୁ ଏବେ ଆଉ କୌଣସି ପୋଷ୍ଟରରେ ବିଜୁ ବାବୁଙ୍କ ଚେହେରା ଦେଖିବାକୁ ମିଳୁନାହିଁ ।

ବିଜୁ ଏବେ ହୋଇଯାଇଛି ବାଜେ ଜନତା ଦଳ । କେହି ବିଜେଡିରେ ରହିବେ ନାହିଁ । ସ୍ଵାଭିମାନୀ ଓଡ଼ିଆ କେବେ ବିଜେଡିରେ ରହିପାରିବେ ନାହିଁ । ନେତାମାନେ ଖାଲି ଲୋଭ ଓ ଡରରେ ବିଜେଡିରେ ଅଛନ୍ତି । ଯେବେ ଡର ଛାଡିବ, ସେବେ ଦଳ ଛାଡ଼ିବେ ବିଜେଡି ନେତା । ତେବେ ଆହୁରି ମଧ୍ୟ ଭାଜପାରେ ସାମିଲ ହେବା ପରେ ଅରିନ୍ଦମ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାଜପାରେ ସାମିଲ ହୋଇଥିବା କହିଥିଲେ ।

ଦେଖନ୍ତୁ ଭିଡିଓ :-

ଅରିନ୍ଦମ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲି । ପୂର୍ବରୁ ବିଜେଡିରେ ଯେଉଁଭଳି କାମ ହେଉଥିଲା ବର୍ତ୍ତମାନ ସେସବୁ ଶୈଳୀ ବଦଳି ଯାଇଛି, ଯାହା ସହ ମୁଁ ଖାପ ଖୁଆଇ ପାରିଲି ନାହିଁ । ଏଣୁ କେଉଁଠି ନା କେଉଁଠି ବିଜେଡିରେ କାମ କରିବାର ଆଉ ସୁଯୋଗ ନାହିଁ ବୋଲି ଅନୁଭବ କଲି । ଯେତେବେଳେ ସୁଯୋଗ ଥିଲା ବହୁତ କାର୍ଯ୍ୟ କରିଛି । ଏବେ ଯେଉଁଠୁ ସ୍ବାଗତ, ସମ୍ମାନ, ଭଲପାଇବା ମିଳିଲା ମୁଁ ସେ ଦଳକୁ ଆସିଲି ବୋଲି ସେ କହଛନ୍ତି ।