ରୋଗୀଙ୍କ ସହିତ ଡାକ୍ତରଙ୍କ ଖରାପ ଆଚରଣ ଭଳି ଅଭିଯୋଗ ଅନେକ ସମୟରେ ଆମର ସାମ୍ନାକୁ ଆସିଥାଏ। ଏହିପରି ଏକ ଦୁଃଖଦ ଘଟଣା ବିହାରର ବାଙ୍କା ବଡ଼ ଡ଼ାକ୍ତରଖାନାରୁ ଆସିଛି।
ଡାକ୍ତରଖାନାରେ ଡାକ୍ତର ମହେନ୍ଦ୍ର କୁମାର ଡ୍ୟୁଟିରେ ଥିଲେ, ବାଙ୍କା ବ୍ଲକ ବାବୁଡିହ ଚୁଟିଆ ଗ୍ରାମର ବର୍ଷା କୁମାରୀ ପେଟ ଯନ୍ତ୍ରଣା ଅନୁଭବ କରି ଡାକ୍ତର ମହେନ୍ଦ୍ରଙ୍କ ଚେମ୍ବର ଭିତରକୁ ପଶିଥିଲେ। କିନ୍ତୁ ଜଣେ ଅସୁସ୍ଥ ଝିଅର ସେବା କରିବା ପରିବର୍ତ୍ତେ ସେ ନିଜ ମୋବାଇଲରେ ଭାରତ-ବାଂଲାଦେଶ ମ୍ୟାଚ୍ ଦେଖୁଥିଲେ।
ଯନ୍ତ୍ରଣାରେ ଛଟପଟ ହେଉଥିବା ବର୍ଷା ତଳେ ପଡ଼ିଯାଇଥିଲେ, କିନ୍ତୁ ଡାକ୍ତର ମହେନ୍ଦ୍ର ତାଙ୍କୁ ଅଣଦେଖା କରି ଭାରତ-ବାଂଲାଦେଶ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ। ଯେତେବେଳେ ଯନ୍ତ୍ରଣା ଅସହ୍ୟ ହୋଇଗଲା ଏବଂ ବର୍ଷା ଚିତ୍କାର କରିବା ଆରମ୍ଭ କଲେ, ଡାକ୍ତର ମହେନ୍ଦ୍ର ତାଙ୍କୁ ‘ଚିଠା କରିବାକୁ’ କହିଲେ ଏବଂ ମ୍ୟାଚ୍ ଦେଖିଚାଲିଲେ।
ଏହା ପ୍ରଥମ ଥର ନୁହେଁ ଯେ ଡାକ୍ତର ମହେନ୍ଦ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ଡ୍ୟୁଟି ସମୟରେ ରୋଗୀଙ୍କ ସହ ଅସଦାଚରଣ କରିବା ସହ ଗୁଟ୍ଖା ଖାଇଥିବା ଅଭିଯୋଗ ହୋଇଛି। ବାଙ୍କା ସିଭିଲ ସର୍ଜନ ଡାକ୍ତର ଅନୀତା କୁମାରୀ କହିଛନ୍ତି ଯେ ଡାକ୍ତର ମହେନ୍ଦ୍ରଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି।
ଯନ୍ତ୍ରଣାରେ ପଡ଼ି ଛଟପଟ ହେଉଥିବା ରୋଗୀଙ୍କୁ ପ୍ରଥମେ ଚିକିତ୍ସା କରାଯିବା ଉଚିତ୍ ଥିଲା। ଯନ୍ତ୍ରଣାରେ ତଳେ ପଡ଼ି କଲବଲ ହେଲେ ଯୁବତୀ, ଏହାଠାରୁ ଲଜ୍ଜାଜନକ ଆଉ କ’ଣ ହୋଇପାରେ। ଡାକ୍ତର କୁମାରୀ ଘଟଣାର ତଦନ୍ତ କରି ଡାକ୍ତର ମହେନ୍ଦ୍ରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।