କାନପୁରରେ ବେଡ଼ରୁମ ରୁ ମିଳିଲା ଏକ ଦମ୍ପତି ମୃତ ଦେହ। ୪ ବର୍ଷ ପୂର୍ବରୁ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ବିଷ ପିଇ ଦେଇଥିଲେ। ଦମ୍ପତିଙ୍କ ଆତ୍ମହତ୍ୟା ପରେ ପରିବାର ରେ ଶୋକର ଛାୟା ଖେଳିଯାଇଛି। ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ହସଖୁସିରେ ରହୁଥିବା ଦମ୍ପତି କାହିଁକି ମୃତ୍ୟୁକୁ ଆପଣାଇଲେ। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ କିଛି ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, କାନପୁରର ପନକୀ ଅଞ୍ଚଳରେ ବାସ କରୁଥିବା ଅଲ୍କେଶ ୪ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ପରିବାର ମଧ୍ୟ ଏଥିରେ ରାଜି ହୋଇଥିଲେ।
ଅଲ୍କେଶ ଟ୍ରକ୍ ଚଲାଇବା ସହ ଭଲ ରୋଜଗାର ମଧ୍ୟ କରୁଥିଲେ। ଉଭୟଙ୍କ ପରିବାର ସହ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା ବୋଲି କୁହାଯାଉଛି । ମାତ୍ର ଗତ ସୋମବାର ଅଲ୍କେଶ-ସଲୋନୀ ତାଙ୍କ କକ୍ଷରୁ ବାହାରକୁ ଆସିନଥିଲେ। ସାନ ଭାଇ ଯେତେ ଡାକିଲେ ମଧ୍ୟ କେହି ଶୁଣିନଥିଲେ। ସନ୍ଦେହ ହେବା ପରେ କବାଟ ଭଙ୍ଗା ଯାଇଥିଲା। ଉଭୟ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ। ପାଟିରୁ ଫେଣ ମଧ୍ୟ ନିର୍ଗତ ହୋଇଥିଲା। ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଥିଲା ।