ବଲାଙ୍ଗିର ଜିଲ୍ଲାରେ ଘଟିଛି ଲଜ୍ଜାକର ଘଟଣା । କଳଙ୍କିତ ହେଲା ବାପା ଝିଅର ସମ୍ପର୍କ। ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା। ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି। ଅଭିଯୁକ୍ତ ଛଦ୍ମ ନାମ (କୁନା) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ସ୍ତ୍ରୀ ୭ବର୍ଷ ହେବ ବାପ ଘରେ ରହୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବେଲପଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ବ୍ୟକ୍ତି ଜଣକ ପୂର୍ବରୁ ପୁଣେ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ରହିବା ସମୟରେ ସେଠିକାର ଜଣେ ଯୁବତୀଙ୍କୁ ଭଲପାଇ ସ୍ବାମୀ ସ୍ତ୍ରୀ ଭାବରେ ରହୁଥିଲେ। ତାଙ୍କର ୩ ଝିଅ ଏବଂ ୩ ପୁଅ ଅଛନ୍ତି। ତେବେ ୭ ବର୍ଷ ତଳେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଗଣ୍ଡଗୋଳ କରି ସାନ ଝିଅକୁ ଧରି ସେ ବେଲପଡ଼ା ଅଞ୍ଚଳକୁ ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ ଝିଅକୁ ସ୍ଥାନୀୟ ସ୍କୁଲରେ ନାମ ଲେଖାଇ ଥିଲେ।
ନିଜେ ମୂଲ ଲାଗିବା ସହ ନିଜର ଥିବା ଅଳ୍ପ ଜମିରେ ଚାଷ କରି ଚଳୁଥିଲେ। ସେହି ଚାଷ ଜମିରେ କୁଡ଼ିଆ କରି ବାପଝିଅ ରହୁଥିଲେ। ତେବେ ଗତ କିଛିଦିନ ହେବ ସେହି ଜମି ବାଟ ଦେଇ କେହି ଯିବା ଆସିବା କରିଲେ ଅଭିଯୁକ୍ତ ବାପା ଗାଳିଗୁଲଜ କରିବା ସହ ଟାଙ୍ଗିଆ ଧରି ଗୋଡ଼ାଉ ଥିଲେ। ତାଙ୍କର ଏପରି ଅସ୍ବାଭାବିକ ବ୍ୟବହାରରେ ଗାଁ ଲୋକେ ସନ୍ଦେହ କରିଥିଲେ।
ପରେ ନାବାଳିକା ଝିଅ ଗର୍ଭବତୀ ଥିବାର ଜାଣି ଗଁା ଲୋକେ ବେଲପଡ଼ା ସିଡିପିଓଙ୍କୁ ଜଣାଇଥିଲେ। ସିଡିପିଓ ବିଦ୍ୟୁତ୍ପ୍ରଭା ନାଗ ଏନେଇ ସୋମବାର ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ସହାୟତାରେ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀରସ୍ଥିତ ବାଲ ସୁଧାର ଗୃହକୁ ପଠାଯାଇଥିଲା। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା।
କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବେଲପଡ଼ା ପୋଲିସ ବିଏନ୍ଏସ୍ର ଦଫା ୬୪(୨) ଏବଂ ପୋକ୍ସୋ ଆଇନର ଦଫା ୬ରେ ଏକ ମାମଲା(ନଂ. ୧୪/୨୦୨୫) ରୁଜୁ କରିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି।