ପୁଅ ଟଙ୍କା ଦେଲାନି ବୋଲି ବାପା ବନିଗଲା ଜହ୍ଲାଦ! ନିଜ ଭିତରେ ଥିବା କ୍ରୋଧକୁ ସମ୍ଭାଳି ନ ପାରି ବୃଦ୍ଧଜଣକ ନିଜ ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ଜଣାପଡିଛି।
ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ ଘଟିଛି। ଅଭିଯୁକ୍ତ ବୃଦ୍ଧ ଗୋବର୍ଦ୍ଧନ ରାଉତଙ୍କୁ ପୁଲିସ ଅଟକ ରଖିଛି। ତେବେ ଜଣେ ୬୬ ବର୍ଷୀୟ ବୃଦ୍ଧ ନିଜ ପୁଅ-ବୋହୂଙ୍କ ଉପରେ କାହିଁକି ଓ କିଭଳି ଭିଆଇଲା ଅମାନବୀୟ କାଣ୍ଡ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଗୋବର୍ଦ୍ଧନଙ୍କ ପୁଅବୋହୂ ହେଲେ ଦୀନବନ୍ଧୁ ରାଉତ ଓ ତାଙ୍କ ପତ୍ନୀ। ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ବାପର ବିଭତ୍ସ କାଣ୍ଡରେ ଉଜୁଡ଼ିଗଲା ପୁଅର ସୁଖର ସଂସାର । ଏକୁଟିଆ ପଡ଼ି ବୁଢ଼ି ମା କୋଳରେ ଥାଇ ବାପା,ମା’ଙ୍କୁ ଖୋଜି ହେଉଛି ୬ ବର୍ଷର କଅଁଳ ସନ୍ତାନ ।
ଘଟଣାଟି ଏପରି ଥିଲା କି, ଶନିବାର ରାତି ପ୍ରାୟ ସାଢ଼େ ୯ଟା । ବୋହୂ ସସ୍ମିତା ଶ୍ୱଶୁର ଗୋବର୍ଦ୍ଧନକୁ ଖାଇବା ବାଢ଼ି ଦେଇଥିଲେ । ଶ୍ୱଶୁର ଖାଇ ସାରିବା ପରେ ସ୍ୱାମୀ ଦୀନବନ୍ଧୁଙ୍କ ସହ ବସି ଏହି ବେଡ୍ ରୁମରେ ଖାଉଥିଲେ ସସ୍ମିତା । ପାଖରେ ବେଡ୍ ଉପରେ ବସିଥିଲା ୬ ବର୍ଷର ପୁଅ । ଠିକ୍ ଏହି ସମୟରେ ଗୋବର୍ଦ୍ଧନ ଗୋଟିଏ ହାତରେ ପେଟ୍ରୋଲ୍ ବୋତଲ୍ ଏବଂ ଆଉ ଗୋଟିଏ ହାତରେ ନିଆଁହୁଳା ଧରି ପହଞ୍ଚିଥିଲା । କେହି କିଛି ବୁଝିବା ଆଗରୁ ପ୍ରଥମେ ପୁଅ ଉପରକୁ ପେଟ୍ରୋଲ୍ ଫିଙ୍ଗି ନିଆଁ ଲଗାଇଦେଇଥିଲା । ଆଉ ସ୍ୱାମୀଙ୍କୁ ନିଆଁ ଦାଉରୁ ବଞ୍ଚାଇବାବେଳେ ସସ୍ମିତା ଉପରକୁ ମଧ୍ୟ ପେଟ୍ରୋଲ୍ ପକାଇଥିଲା ଗୋବର୍ଦ୍ଧନ ।
ଘଟଣା ଜାଣିବା ପରେ ପାଖ ପଡ଼ୋଶୀ ଦୀନବନ୍ଧୁ ଏବଂ ସସ୍ମିତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ।ସେଠାରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବାବେଳେ ମରଣ ସହ ସଂଘର୍ଷ କରୁଛନ୍ତି ଦୀନବନ୍ଧୁ । ଏହି ଘଟଣାରେ ନିଜେ ଗୋବର୍ଦ୍ଧନ ବି ଆହତ ହୋଇଛି।
ପୋଲିସର କହିବା ଅନୁଯାୟୀ, ନିଶାପାଣିରେ ବୁଡ଼ି ରହୁଥିଲା ଗୋବର୍ଦ୍ଧନ। ଗୋଡ଼ିସାହି ଛକରେ ଏହି ଚପଲ ଦୋକାନ କରି ପରିବାର ପୋଷୁଥିବା ପୁଅ ଦୀନବନ୍ଧୁ ବାପାଙ୍କୁ ପ୍ରତିମାସ ଭଳି ଏଥର ବି ୨ ଦିନ ତଳେ ଦେଇଥିଲେ ପାଞ୍ଚ ହଜାର ଟଙ୍କା । ହେଲେ ପୁଣି ଟଙ୍କା ମାଗିବାରୁ ଦୀନବନ୍ଧୁ ମନା କରିଦେଇଥିଲେ । ଏହାକୁ ନେଇ ଉତ୍ତ୍ୟକ୍ତ ବାପା ପୁଅ-ବୋହୂଙ୍କୁ ହତ୍ୟା ପାଇଁ ମନସ୍ଥ କରିଥିଲା।