ଭଗବାନ ଗଣେଶଙ୍କ ବାହନ ହେଉଛନ୍ତି ମୂଷା। ହେଲେ ମୂଷା କିପରି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଆସନ୍ତୁ ଜାଣିବା। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ପୌରାଣିକ କଥା ଅନୁଯାୟୀ ଗଜାମୁଖାସୁର ନାମକ ଅସୁର ନିଜ ବାହୁ ବଳରେ ଦେବତାମାନଙ୍କୁ ଖୁବ୍ ହଇରାଣ କରୁଥିଲା । ଏନେଇ ସମସ୍ତ ଦେବତାଗଣ ଏକତ୍ରିତ ହୋଇ ଗଣେଶଙ୍କ ପାଖରେ ପହଞ୍ଚିଥିଲେ ।
ପ୍ରଭୁ ଗଣେଶ ଗଜାମୁଖାସୁର କବଳରୁ ଦେବତାମାନଙ୍କୁ ମୁକ୍ତି ଦେବା ପାଇଁ ଯୁଦ୍ଧ କଲେ। ଦୁହିଁଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଗଣେଶଙ୍କର ଏକ ଦାନ୍ତ ଭାଙ୍ଗିଯାଇଥିଲା । ଏହାଦେଖି ଶ୍ରୀଗଣେଶ କ୍ରୋଧିତ ହୋଇ ଭାଙ୍ଗିଯାଇଥିବା ଦାନ୍ତରେ ଗଜାମୁଖାସୁର ଉପରକୁ ଏପରି ଆକ୍ରମଣ କରିଥିଲେ ଯେ, ଅସୁର ଗଜାମୁଖାସୁର ଡରିଯାଇ ମୂଷା ରୂପ ଧାରଣ କରି ପଳାୟନ କରିବାକୁ ଚେଷ୍ଟା କଲା। କିନ୍ତୁ ପ୍ରଭୁ ଗଣେଶ ତାକୁ ଧରି ଦେଇଥିଲେ। ଏହାପରେ ମୃତ୍ୟୁ ଭୟରେ ଦାନବ ଗଜାମୁଖାସୁର କ୍ଷମା ମାଗିବା ପରେ ଶ୍ରୀଗଣେଶ ମୂଷା ରୂପରେ ଦାନବ ଗଜାମୁଖାସୁରକୁ ନିଜ ବାହନ କରିଥିଲେ ।
ଅନ୍ୟ ଏକ ପ୍ରଚଳିତ କଥା ଅନୁଯାୟୀ ଇନ୍ଦ୍ରଦେବଙ୍କ ଦରବାରରେ କ୍ରୋଞ୍ଚ ନାମକ ଜଣେ ଗନ୍ଧର୍ବ ଥିଲେ । ଥରେ ରାଜା ଇନ୍ଦ୍ର ଏକ ଗମ୍ଭୀର ବିଷୟରେ ଆଲୋଚନା କରୁଥିବା ବେଳେ କ୍ରୋଞ୍ଚ ଙ୍କର ସେଥିପ୍ରତି ଧ୍ୟାନ ନଥିଲା । ସେ ଅପ୍ସରାମାନଙ୍କ ସହ ବ୍ୟସ୍ତ ଥିଲେ । ଏହା ଦେଖି ଇନ୍ଦ୍ର ରାଗିଯାଇ ତାଙ୍କୁ ମୂଷା ହେବାର ଅଭିଶାପ ଦେଇଥିଲେ । ଏହାପରେ କ୍ରୋଞ୍ଚ ଏକ ବଳବାନ ମୂଷା ରୂପ ଧାରଣ କରି ପରାଶର ଋଷିଙ୍କ ଆଶ୍ରମକୁ ଆସିଥଲେ । ସେଠାରେ ସେ ଭୟଙ୍କର ଉତ୍ପାତ କରିଥିଲା। ଏହାଦେଖି ପରାଶର ଋଷି ଅତ୍ୟନ୍ତ ଦୁଃଖୀ ହେବା ସହ ପ୍ରଭୁ ଗଣେଶଙ୍କ ନିକଟକୁ ଯାଇଥିଲେ । ଏହାଶୁଣି ପ୍ରଭୁ ଗଣେଶ ମୂଷାକୁ ଧରିବା ପାଇଁ ଏକ ଫାଶ ପକାଇଥିଲେ ।
ଏହି ଫାଶରେ ମୂଷାଟି ଧରା ପଡିବା ପରେ ଚେତା ହରାଇ ଦେଇଥିଲା । ଚେତା ଫେରିବା ପରେ ମୂଷାଟି ପ୍ରଭୁ ଗଣେଶଙ୍କ ପୂଜା ଆରମ୍ଭ କରିବା ସହ ଜୀବନ ରକ୍ଷା କରିବା ପାଇଁ ଭିକ୍ଷା ମାଗିଥିଲା । ମୂଷକର ସ୍ତୁତିରେ ପ୍ରଭୁ ଗଜାନନ ପ୍ରସନ୍ନ ହୋଇ ବର ମାଗିବା ପାଇଁ କହିଥିଲେ । କିନ୍ତୁ ଏହାଶୁଣି ଅହଂକାରୀ ମୂଷକ, ମତେ ଆପଣଙ୍କ ଠାରୁ କିଛି ବର ମାଗିବାର ନାହିଁ ବୋଲି କହିଥିଲା, ଆପଣ ଚାହିଁଲେ ମୋ ଠାରୁ ବର ମାଗିପାରିବେ । ଏହାଶୁଣି ଗଣେଶ କହିଥିଲେ, ଯଦି ତୁମ ବଚନ ସତ୍ୟ ହୋଇଥାଏ ତେବେ ତୁମେ ମୋର ବାହନ ହୋଇଯାଅ । ଏହାଶୁଣି ମୂଷକ ତଥାସ୍ତୁ କହିବା ମାତ୍ରେ ହିଁ ପ୍ରଭୁ ଗଣେଶ ମୂଷକ ଉପରେ ବିରାଜମାନ କରିଥିଲେ । ଏହିଭଳି ଭାବେ ପ୍ରଭୁ ଗଣେଶ ମୂଷାର ଗର୍ବ ଭାଙ୍ଗି ନିଜର ବାହନ କରିଥିଲେ ।