ଧନତେରାସ ଦିନ ଅର୍ଥାତ ୨୯ ଅକ୍ଟୋବର ଦିନ ରାଜ୍ୟର ଆକାଶରୁ ଶୁଣିବାକୁ ମିଳିଛି ଦୁଇଟି ପ୍ରଚଣ୍ଡ ଶବ୍ଦ। ଏହି ଶବ୍ଦ ଶୁଣିବା ପରେ ଲୋକମାନେ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ପରି ଶବ୍ଦ ଆଗରୁ ମଧ୍ୟ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଶୁଣିବାକୁ ମିଳିଥିଲା।
ସୂଚନା ମୁତାବକ, ୨୯ ତାରିଖ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସକାଳ ୧୦.୩୦ ସମୟରେ ହଠାତ ଆକାଶରୁ ଶୁଣିବାକୁ ମିଳିଥିଲା ଏକ ଭୟଙ୍କର ଶବ୍ଦ। ଏହି ଶବ୍ଦରେ ଘରଦ୍ୱାର ଥରି ଉଠିଥିଲା । ମାତ୍ର ଶବ୍ଦ କେଉଁଠୁ ଆସିଲା ତାହା ଜଣାପଡ଼ିନଥିଲା । ତେବେ ପ୍ରତିରକ୍ଷା ବିଭାଗ ତରଫରୁ କୌଣସି ରକେଟ୍ ଲଞ୍ଚ କରାଯାଇପାରେ କିମ୍ବା କିଛି ପରୀକ୍ଷଣ ପାଇଁ ଆକାଶରୁ ଏଭଳି ଶବ୍ଦ ଶୁଣିବାକୁ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଆକାଶରୁ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣାଯିବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଗତ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକ ଭୟଙ୍କର ବଜ୍ରପାତ ଦେଖିବାକୁ ମିଳିଥିଲା । ଉକ୍ତ ବଜ୍ରପାତର ଶବ୍ଦ ଏତେ ଭୟଙ୍କର ହୋଇଥିଲା ଯେ ଜିଲ୍ଲା ସଦର ମହକୁମା ବାରିପଦା, ବାଙ୍ଗିରିପୋଷି, ଖୁଣ୍ଟା, ଉଦଳା, ଡୁକୁରା, ବିଶୋଇ, ଶିମିଳିପାଳ, ବେତନଟୀ ଆଦି ଅଞ୍ଚଳରେ କାନକୁ ସତେ ଯେମିତି ଏକ ବଡ଼ ଝଟକା ଦେଇଥିଲା ।
ସନ୍ଧ୍ୟା ୬ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି ମୟୂରଭଞ୍ଜ ଆକାଶରେ ଉକ୍ତ ଶବ୍ଦ ଶୁଣିବାକୁ ମିଳିଥିଲା । ସେହିପରି ଗତ ଅଗଷ୍ଟ ମାସରେ ବାଲେଶ୍ୱରର ନୀଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ମଧ୍ୟ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ।