ଝିଅ ବୋଲି ମାଆ ଫିଙ୍ଗିଦେଲା.. ହେଲେ ରଖେ ହରିତ ମାରେ କିଏ, କଳା ଅନ୍ଧାରରେ କାଳିଆ କୋଳେଇନେଲା । ମାଆ ହେ ମାଆ ଶୁଣି ପାରୁଛୁ । ମୋ କାନ୍ଦ କଣ ତୋ କାନରେ ଜମା ପଡୁନି । ତୋ କୋଳ ଦରକାର ମା । ମୋ ଦେହ କାଟୁଛି । ମା କ୍ଷୀରକୁ ପାଟିରେ ପିଇବା ବି ସେ ସିଖିନଥିବ । ସେ ଆଖି ଖୋଲି ମାଆକୁ ତାର ଭଲକି ଦେଖିନଥିବ । ଦୁନିଆ ଦେଖିବା କଥା ତ ପରେ ଥାଉ । ଦୁଇ ଦିନର ଛୁଆ । ଛଅ ଇଞ୍ଚର ଲୁହା ପାଇପ୍ । ବୋଧେ ତା ଦେହ ଯେତିକି, ପାଇପର ମୋଟେଇ ସେତିକି । ଜାଣିଛୁ ମାଆ ମୁଁ ଜମା ବିଶ୍ୱାସ କରୁନି । ମୋତେ ଜନ୍ମଦେଇଥିବା ମୋ ମାଆ ଏମିତି କେବେ କରିପାରିବନି…
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନାରେ ରଖାଯାଇଛି । ଭଗବାନଙ୍କ କୃପାରୁ ଛୁଆଟି ସୁସ୍ଥ ରହିଛି, ଯାହା କୌଣସି ଚତ୍ମକାରଠୁ କମ ନୁହେଁ । ଆଉ ପୁଣି ଥରେ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଡାକ୍ତରୀ ଟିମ୍ ।
ଉଦ୍ଧାର ହେଇଥିବା ନବଜାତ ଶିଶୁ କନ୍ୟା ୩ ଦିନର ବୋଲି ଜଣାପଡିଛି । ସେପଟେ ଶିଶୁଟି ପ୍ରିମ୍ୟାଚ୍ୟୁର ଭାବେ ଜନ୍ମ ହୋଇଥିଲା ବୋଲି ସୂଚନା ମିଳିଛି । ଶିଶୁ କନ୍ୟାର ଓଜନ ୧ କେଜି ୬୦୦ ଗ୍ରାମ ରହିଛି । ଗୋଟିଏ ମଣିଷ ଭୁଲ କରୁଛି, ମାତ୍ର ଗୋଟିଏ ସରଳ ନିଷ୍ପାପ ଶିଶୁ ତା’ର ଦଣ୍ଡ ପାଉଛି । ଏହି ଘଟଣା ପରେ ଲାଗୁଛି ସତେ ଯେମିତି ଆମ ସମାଜରୁ ମାନବିକତା ହଜିଯାଇଛି । ଏହି ଘଟଣା ଆମ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା । ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ମଣିଷ ଯେତେବେଳେ ନିଜତ୍ୱ ହରାଇବ ସେ ସେତେବେଳେ ପଶୁ ପାଲଟିଯାଏ । ଈଶ୍ୱରଙ୍କ ସୃଷ୍ଟିରେ ମଣିଷକୁ ଶ୍ରେଷ୍ଠ ଜୀବ କୁହାଯାଉଥିବା ବେଳେ ଏବେ ସେହି ମଣିଷଠାରେ ସତେଯେମିତି ମାନବିକତା ମରିଯାଇଛି । ଏହି ଘଟଣା କାହିଁକି ଘଟିଲା, ଏଥିପାଇଁ କିଏ ଦାୟୀ ତା’ର ତଦନ୍ତ ହେବା ଆବଶ୍ୟକ ।
ଆହୁରି ପଢନ୍ତୁ :- ଜେଲ୍ ରୁ ବାହାରି ଅର୍ଚ୍ଚନା ନାଗ ପାଲୋଟିଲେ କଳା ନାଗୁଣୀ, କହିଲେ ‘ମୋ ନିଜେ କେସ ନିଜେ ଲଢ଼ିବି ଏବଂ ସମସ୍ତଙ୍କୁ…”
ସମୟ ପ୍ରାୟ ଅପରାହ୍ଣ ୩ଟା । ଲାରିପାଲି ଜଙ୍ଗଲରେ ଥିବା ଉକ୍ତ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଣିବାକୁ ମିଳିଥିଲା କଅଁଳା ଶିଶୁର କାନ୍ଦ । କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଲେ । ଖବର ପାଇ ପୋଲିସ ଓ ପ୍ରଶାସନ ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍ ।
୮ ଘଣ୍ଟାର ଅପରେସନ ସଫଳ ହୋଇଛି । ବିଳମ୍ବ ନକରି ପ୍ରଥମେ ବୋରଓ୍ବେଲକୁ ଅକ୍ସିଜେନ ଦିଆଯାଇଥିଲା । ପାଇପ୍ ମଧ୍ୟରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା । ହେଲେ ସେ କାନ୍ଦୁଥିବାରୁ ଆଶା ବଢ଼ିଥିଲା । ରାତି ହେବା ସତ୍ତ୍ୱେ ଲାଇଟ୍ ଲଗାଯାଇ ଅପରେଶନ ଜାରି ରହିଥିଲା । ମାଟି ଖୋଳା ଶେଷ ହେବା ପରେ ଲୁହା ପାଇପ୍କୁ କଟାଯାଇ ସତର୍କତାର ସହ ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ।