ହସ୍ତମୈଥୁନ ଏଭଳି ଏକ ଅଭ୍ୟାସ ଯାହା ବିଷୟରେ ସାଧାରଣତଃ ଯୁବପିଢ଼ି କଥା ହେବାକୁ ସଂକୋଚ କରିଥାନ୍ତି । ଏହା ମଣିଷର ବ୍ୟକ୍ତିଗତ ପସନ୍ଦ ଅଥବା ନାପସନ୍ଦ ହୋଇଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମତ ଦେଇଥାନ୍ତି । ତେବେ, ନିୟମିତ ଭାବରେ ହସ୍ତମୈଥୁନ କରୁଥିବା ବ୍ୟକ୍ତି କ୍ୟାନ୍ସର ଭଳି ବଡ଼ ରୋଗଠାରୁ ଦୂରେଇ ରହି ପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ହସ୍ତମୈଥୁନ କରିବା ଦ୍ୱାରା ମଣିଷ ଚିନ୍ତା ଏବଂ ଚାପ ଠାରୁ ଦୂରେଇ ରହିବା ସହିତ ଭଲ ନିଦ ହୋଇଥାଏ ବୋଲି ପୂର୍ବରୁ ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି । ତେବେ, ଏହା କରିବା ଦ୍ୱାରା ଆପଣ ପ୍ରୋଷ୍ଟେଟ କ୍ୟାନ୍ସର ଠାରୁ ଦୂରେଇ ରହି ପାରିବେ ବୋଲି ହାର୍ଭାଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ରିସର୍ଚ୍ଚରୁ ସୂଚନା ମିଳିଛି । ୨୦୧୬ରେ ପ୍ରକାଶିତ ହୋଇଥିବା ଏକ ଜର୍ଣ୍ଣାଲରେ ଏଥିନେଇ ଉଲ୍ଲେଖ କରାଯାଇଛି ।
ମାସରେ ୨୧ ଥର କିମ୍ବା ତା’ଠାରୁ ଅଧିକ ହସ୍ତମୈଥୁନ କରିବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା ୩୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଥିବା ଜଣାପଡ଼ିଛି । ୧୮ ବର୍ଷ ଧରି ୩୧,୯୨୫ ପୁରୁଷଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ତେବେ, ଏଥିରେ ୨୦ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ବୟସର ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଉନ୍ନତ ସ୍ୱାସ୍ଥ୍ୟ ପାଇଁ ହସ୍ତମୈଥୁନ କାହିଁକି ଏବଂ କିପରି ଆବଶ୍ୟକ ସେଥିନେଇ ଏପର୍ଯ୍ୟନ୍ତ ଗବେଷଣା ଜାରି ରହିଛି । ତେବେ ପ୍ରୋଷ୍ଟେଟ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ହସ୍ତମୈଥୁନ ଏକମାତ୍ର ଉପାୟ ନୁହେଁ ବୋଲି ଗବେଷକମାନେ କହିଛନ୍ତି ।