ହାଇପ୍ରଟେନସନ୍ ବା ଉଚ୍ଚ ରକ୍ତଚାପକୁ ସାଧାରଣରେ ଆମେ ହାଇ BP କହିଥାଉ । ଏହା ଏକ ମାରାତ୍ମକ ରୋଗ । ଉଚ୍ଚ ରକ୍ତଚାପ ଏକ ଶାନ୍ତ ଜ୍ୱଳାମୁଖୀ ପରି ହୋଇଥାଏ । ସାଧାରଣତଃ ଏହି ରୋଗର ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଜ୍ୱଳାମୁଖୀ ଫାଟିବା ପରେ ହୃଦଘାତ ପରି ନାନା ରୋଗ ହେବାର ଆଶଙ୍କା ରହିଥାଏ ।
ଉଚ୍ଚ ରକ୍ତଚାପକୁ ସବୁ ବଡ଼ ବଡ଼ ରୋଗର ମୂଳ କାରଣ ବୋଲି କୁହାଯାଏ । ଏମିତିକି ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହାର କୌଣସି ଲକ୍ଷଣ ନଥାଇ ମଧ୍ୟ ବିଭିନ୍ନ ରୋଗର କାରଣ ପାଲଟିଥାଏ । ରକ୍ତଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହାର୍ଟ ଆଟାକ ଠାରୁ ଆରମ୍ଭ କରି ଫୁସଫୁସ, କିଡନୀ, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ ।
ଏହା ଗୋଟିଏ ଦିନରେ ଆରମ୍ଭ ହୁଏ ନାହିଁ, ଦୀର୍ଘ ଦିନର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ କାରଣରୁ ଏପରି ହୋଇଥାଏ । ନିୟମିତ ଭାବେ ଏହି ସମସ୍ୟା ଦେଖାଯିବା, ସ୍ୱାସ୍ଥ୍ୟ ପାଇଁ ହାନିକାରକ । କେଉଁ ସବୁ ଲକ୍ଷଣ ଉଚ୍ଚ ରକ୍ତଚାପ ସମୟରେ ଦେଖାଯାଏ, ଆସନ୍ତୁ ଜାଣନ୍ତୁ…
ଆହୁରି ପଢନ୍ତୁ :- ରାତିରେ କମ୍ ଶୋଉଛନ୍ତି କି? ମହିଳା ମାନେ ସାବଧାନ! ନଚେତ୍ ହେବ ଏହି ସାଂଘାତିକ ରୋଗ
ଉଚ୍ଚ ରକ୍ତଚାପର ୫ ଲକ୍ଷଣ
ମୁଣ୍ଡବିନ୍ଧା :- ରକ୍ତଚାପ ବଢିଗଲେ ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ । BP ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଚାପ ମସ୍ତିଷ୍କ ଶୀର ଉପରେ ପ୍ରଭାବ ପକାଏ । ଫଳରେ ମୁଣ୍ଡବିନ୍ଧା ଲକ୍ଷଣ ଦେଖାଯାଏ ।
ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା :- ପାହାଚ ଚଢିବା ବେଳେ କିମ୍ବା ଚାଲିବା ସମୟରେ ଯଦି ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଯେତେବେଳେ ହୃଦୟ ଠିକ୍ ଭାବରେ କାମ କରିନଥାଏ ଏହି ସମସ୍ୟା ହୁଏ ।
ନାକରୁ ରକ୍ତ ପଡିବା :- ନାକରୁ ରକ୍ତସ୍ରାବ ହେଉଥିଲେ, ଆଦୌ ଅଣଦେଖା କରନ୍ତୁ ନାହିଁ । ଉଚ୍ଚ ରକ୍ତଚାପ କାରଣରୁ ଏହା ହୋଇପାରେ । ବାସ୍ତବରେ, ଯେତେବେଳେ ରକ୍ତଚାପ ଅଧିକ ଥାଏ, ନାକର ପତଳା ଝିଲ୍ଲି ଫାଟିଯିବାର ଆଶଙ୍କା ଥାଏ । ଫଳରେ ରକ୍ତସ୍ରାବ ହୁଏ । ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଭେଟନ୍ତୁ ।
ଝଟକା ଲାଗିବା :- ଅଧିକ BP କାରଣରୁ ବେଳେ ବେଳେ ମୁଣ୍ଡ ବୁଲାଇ ଦେଇ ଝଟକା ଲାଗିପାରେ । ଷ୍ଟ୍ରୋକ୍ କାରଣରୁ ବି ଏପରି ଲକ୍ଷଣ ଦେଖା ଦେଇପାରେ । ଏହିପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।
ଛାତି ଯନ୍ତ୍ରଣା :- ଛାତି ଯନ୍ତ୍ରଣା ଉଚ୍ଚ ରକ୍ତଚାପର ଅନ୍ୟ ଏକ ଲକ୍ଷଣ । ଏହି ଲକ୍ଷଣକୁ ଅଣଦେଖା କରିବା ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ହୋଇପାରେ । ତେଣୁ, ସଠିକ୍ ସମୟରେ ଚିକିତ୍ସା କରାଇନିଅନ୍ତୁ ।