ଆସୁଛି ଆଉ ଏକ ଲଘୁଚାପ, ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ରାଜ୍ୟରେ ଏହି ତାରିଖରୁ ହେବ ପ୍ରବଳ ବର୍ଷା

ଆଗକୁ ଆଉ ଏକ ଲଘୁଚାପ ଆସୁଛି, ଯାହା ଫଳରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ ତାରିଖରେ ସୃଷ୍ଟି ହେବ ଏହି ଲଘୁଚାପ ବଳୟ । ଫଳରେ ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ବର୍ଷା ହେବ । ଆଉ ଖରା ଗରମରୁ ମିଳିବ ତ୍ରାହି । ତେବେ ଅଗଷ୍ଟ ମାସରେ ଯେତିକି ଲଘୁଚାପ ହେବା କଥା ଏଥର ସେଥିରେ ବ୍ୟତିକ୍ରମ ଘଟିଛି ।

ବଙ୍ଗୋପସାଗରରେ ପୁଣି ଆସିବ ଲଘୁଚାପ । ବେଶ୍ କିଛି ଦିନ ଅନ୍ତରରେ ରାଜ୍ୟରେ ହେବ ବର୍ଷା । ଖରା ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେମ୍ବର ୨ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୩ ତାରିଖରେ ନେବ ଲଘୁଚାପର ରୂପ । ପ୍ରଭାବରେ ୨ ତାରିଖ ରାତି କିମ୍ବା ୩ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ୪ ଓ ୫ ତାରିଖରେ ଅଧିକ ବର୍ଷା ହେବ ।

ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି । ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିବା ସହ ଉତ୍ତର ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ଆସୁଛି । ଏହାସହ ମେଘମୁକ୍ତ ଆକାଶ ଯୋଗୁଁ ସୂର୍ଯ୍ୟ କିରଣ ସିଧା ସଳଖ ପୃଥିବୀ ଉପରେ ପଡ଼ୁଚି । ଫଳରେ ଦିନରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ବର୍ଷା ହେଲେ ଏ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବ ।

ଏବେ ବି ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଫଳରେ ପାଗ ଶୁଖିଲା ରହିବା ସହ ଦିନର ତାପମାତ୍ରା ଅଧିକ ରହିଛି । ଆହୁରି ଦୁଇ ଦିନ ରହିବ ଏଭଳି ପାଗ । ସେପ୍ଟେମ୍ବର ୧ରୁ ପୁଣି ଘଡଘଡି ବିଜୁଳି ସାଙ୍ଗକୁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୩ ରୁ ବର୍ଷାର ବିସ୍ତୃତି ବଢିବା ସମ୍ଭାବନା ରହିଛି ।

ଅଗଷ୍ଟ ମାସରେ ସାଧାରଣତଃ ୪ ରୁ ୫ ଟି ଲଘୁଚାପ ସୃଷ୍ଟି ହୁଏ । ହେଲେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ଲଘୁଚାପ ଆସିଛି ବଙ୍ଗୋପସାଗରରେ । ଫଳରେ ଖୁବ୍ କମ୍‌ ଦିନ ବର୍ଷା ଦେଖିବାକୁ ମିଳିଛି ।