ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ନୂଆ ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି କିଛିଦିନ ପୂର୍ବେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି । ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଥିଲେ।
ସେପଟେ ବଦଳିଲା ଲକ୍ଷ୍ମୀ ବସ୍ ରଙ୍ଗ, ସବୁଜରୁ ହେଲା ଗେରୁଆ । ଢେଙ୍କାନାଳରେ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି । ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ବଦଳି ଯାଇଛି ।
ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ବସ୍ ଖତ ଖାଉଥିବାରୁ ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ । ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢିଚାଲିଛି । ତେଣୁ ଏ ଯୋଜନା ଓ ସେବା ଆଉ ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଲକ୍ଷ୍ମୀ ବସ୍ ସେବା ନୂଆ ନାଁରେ ଆଗକୁ ବଢ଼ିବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପରିବହନ ମନ୍ତ୍ରୀ।