ଦେଖନ୍ତୁ ଭିଡିଓ: ଏସି ପାଣିକୁ ଠାକୁରଙ୍କ ପାଦୁକ ପାଣି ଭାବି ପିଇଗଲେ ଭକ୍ତ।

ଭାରତରେ ସମସ୍ତେ ନିଜ ନିଜ ଢ଼ଙ୍ଗରେ ଭଗବାନଙ୍କୁ ମାନନ୍ତି । ଭଗବାନଙ୍କୁ ମାନିବା ସହିତ ବିଶ୍ୱାସରେ ପ୍ରସାଦ ବି ସେବନ କରୁ। ହେଲେ କିଛି ଲୋକ ଭକ୍ତିରେ ଏତେ ବିଭୋର ଯେ ସେମାନେ କ’ଣ କରୁଛନ୍ତି ତାହା ମଧ୍ୟ ଜାଣିପାରନ୍ତି ନାହିଁ । କେତେକ ଲୋକ ତ ଏମିତି ଅନ୍ଧ ଭଳି ମାନନ୍ତି ଯେ ଅନ୍ଧବିଶ୍ୱାସକୁ ମାନି ନିଅନ୍ତି। ଯେଉଁଥିପାଇଁ ଅନେକ ସମୟରେ ସେମାନେ ଅସୁବିଧାରେ ବି ପଡନ୍ତି।

ଏଇ ଯେମିତି ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଗୋଟେ ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ଏକଦମ୍ ଚକିତ ହୋଇଯିବେ । ଆପଣ ଦେଖିପାରୁଥିବେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ସେବନ କରୁଛନ୍ତି । ପୁଣି ଏତେ ଗହଳି ଲାଗିଛି ଯେ ଅନ୍ୟ ଲୋକ ବି ଚାଲିବା କଷ୍ଟ ହେଇଯାଉଛି । ସେହି ପାଣିକୁ ପିଇବା ପାଇଁ ଲୋକେ ଯେମିତି ଠେଲାପେଲା ହେଉଛନ୍ତି । ହେଲେ ବାସ୍ତବରେ ସେ ପାଣି କି ପାଣି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।

ଆଜ୍ଞା ଏମାନେ ଯେଉଁ ପାଣିକୁ ବାଙ୍କେ ବିହାରୀଙ୍କ ଚରଣାମୃତ ବୋଲି ଭାବି ଭକ୍ତିରେ ପିଉଛନ୍ତି ବାସ୍ତବରେ ତାହା ହେଉଛି ମନ୍ଦିର ଭିତରେ ଲାଗିଥିବା ଏସିର ପାଣି । ଏହି ଭିଡିଓରେ କିଛି ଲୋକ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖିଥିଲେ। ଏହାକୁ ସେମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବୁଛନ୍ତି। କିଛି ଲୋକ ସେମାନଙ୍କୁ ମଧ୍ୟ କହୁଛନ୍ତି ଯେ ଏହା ଚରଣାମୃତ ନୁହେଁ, ବରଂ ଏସିର ଡିସଚାର୍ଜ ଜଳ । ଏହା ସତ୍ତ୍ୱେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରିକି ଏହି ପାଣିକୁ ସେମାନେ କପ୍ ଏବଂ ଅନ୍ୟାନ୍ୟ ପାତ୍ରରେ ସଂଗ୍ରହ କରି ଘରକୁ ନେଇଯାଉଛନ୍ତି। ଏ ଦୃଶ୍ୟକୁ ଦେଖି ଲାଗୁଛି ଯେମିତି ଦୁନିଆଟା ପୂରା ଦେଖାସିଖାରେ ଚାଲିଛି । ଯିଏ ଯାହା କଲେ ତା ପଛେ ପଛେ ସବୁ କରିଚାଲିଥିବେ ସେମିତି । କେହି ଏହାର ଗଭୀରତା ଭିତରକୁ ପସନ୍ତିନାହିଁ ।

ମଥୁରା-ବୃନ୍ଦାବନରେ ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ଅଛି । ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁଖ ପରି। ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି । ତେଣୁ, ଏସିରୁ ନିର୍ଗତ ଜଳ ଏହି ଡ୍ରେନ୍ ମାଧ୍ୟମରେ ବାହାର କରାଯାଏ । ତେବେ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଜଳକୁ ବାଙ୍କେ ବିହାରୀଙ୍କ ଚରଣାମୃତ କହିବା ଆରମ୍ଭ କରିଥିଲେ। ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ପ୍ରାର୍ଥନା କରିବା ଆରମ୍ଭ କଲେ। ସେବେଠାରୁ ଏହା ଏକ ପରମ୍ପରା ହୋଇଗଲା ।