ଭଉଣୀ ସ୍ବାମୀ ସହିତ ଏବଂ ମା’ ଶ୍ୱଶୁର ସହିତ ଫେରାର! ଏପରି ଏକ ଅଜବ ଗଜବ ଘଟଣା ଘଟିଯାଇଛି ବିହାରର ଜାଫରପୁରରେ। ଏହି ଅଭିଯୋଗ ନେଇ ଜଣେ ମହିଳା ପୋଲିସ ଷ୍ଟେସନରେ ସହାୟତା ପାଇଁ ପହଞ୍ଚିଥିଲେ। ଏଭଳି ସ୍ଥିତିରେ ସେ କ’ଣ କରିବେ, କେଉଁଠାକୁ ଯିବେ ବୋଲି ପୋଲିସକୁ ପଚାରିଥିଲେ। ପୋଲିସ ମହିଳାଙ୍କ କଥା ଶୁଣି ଚକିତ ହୋଇଯାଇଥିଲା। ମହିଳାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ମହିଳାଙ୍କ ସ୍ବାମୀ ଚମକାଇବା ଭଳି ଖୁଲାସା କରିଥିଲେ।
ମାମଲାଟି ସକରା ଥାନା ଅଞ୍ଚଳର। ଏଠାରେ ରହୁଥିବା ସୁଧା କୁମାରୀ ଜୁନ୍ ୯ ରେ ଥାନାରେ ପହଞ୍ଚି କହିଥିଲେ ଯେ, ସେ ଫରିଦାପୁର ଗ୍ରାମର। ୨୦୨୧ ଜୁନ ୨୭ରେ ତାଙ୍କର ଛୋଟୁ ନାମକ ଯୁବକଙ୍କ ସହ ବିବାହ ହୋଇଥିଲା। ସେ ଭଗବାନପୁରର ବାସିନ୍ଦା। ବିବାହ ପରେ ଦୁହେଁ ଭଲରେ ରହୁଥିଲେ। ଝିଅ ବି ଜନ୍ମ ହୋଇଥିଲା। ଏସବୁ ମଧ୍ୟରେ ତାଙ୍କର ସାନ ଭଉଣୀ(ନାବାଳିକା)ଙ୍କ ସହ ଛୋଟୁ ଫୋନରେ କଥା ହେଉଥିଲେ। ଏହି କଥାବାର୍ତ୍ତା କେତେବେଳେ ପ୍ରେମରେ ପରିଣତ ହୋଇଥିଲା, ତାଙ୍କୁ ଜଣାପନି ନ ଥିଲା। କିଛିଦିନ ଧରି ସ୍ବାମୀଙ୍କ ବ୍ୟବହାର ବଦଳି ଯାଇଥିଲା। ଅନେକ ପ୍ରକାରର ଅଭିଯୋଗ ଲଗାଇଥିଲେ। ଏପରିକି ତାଙ୍କଠାରୁ ଦୂରେଇଯିବାକୁ ଚେଷ୍ଟା କରିଥିଲେ।
ଜୁନ ୩ ରେ ତାଙ୍କ ସ୍ବାମୀ ତାଙ୍କ ଭଉଣୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ଏହାପରେ ସେ ଘରକୁ ଯାଇ ମା’ ଫୁଲ କୁମାରୀଙ୍କୁ ଭଉଣୀଙ୍କ କଥା କହିଥିଲେ। ଜୁନ୍ ୫ ରେ ଫୁଲ କୁମାରୀ ଶ୍ୱଶୁର ଘରକୁ ଯାଇ ଏ ବିଷୟରେ କଥା ହେବେ ବୋଲି କହିଥିଲେ। ହେଲେ ସେବେଠାରୁ ସେ ଫେରି ନ ଥିବା ସୁଧା କହିଛନ୍ତି।
କିଛି ଦି ପରେ ମା’ ଏବଂ ଶ୍ୱଶୁର ବିରାଜୀ ଭଗତଙ୍କ ସହ ଗାଁରୁ ଫେରାର ହୋଇଯାଇଥିଲେ। ଭଉୟ ଏବେ ଦିଲ୍ଲୀରେ ଅଛନ୍ତି। କେହି ବି ତାଙ୍କ ଫୋନ ଉଠାଉନାହାନ୍ତି। ଏମିତିରେ ତାଙ୍କର ସହାୟତା କରିବାକୁ ସୁଧା ଦାବି କରିଛନ୍ତି। କାରଣ କୁନି ଶିଶୁକୁ ନେଇ ସେ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ କହିଛନ୍ତି।
ପୋଲିସ ଯାଞ୍ଚ କରି ଛୋଟୁଙ୍କୁ ଏନେଇ ପଚାରିବାରେ ଶାଶୁ ହିଁ ତାଙ୍କ ବିବାହ କରାଇଥିବା କହିଥିଲେ। ସେ ଉଭୟ ସ୍ତ୍ରୀଙ୍କ ସହ ରହିବାକୁ ଚାହୁଁଥିବା ସେ କହିଛନ୍ତି। ପୁରା ଘଟଣା ଜାଣିବା ପାଇଁ ତଦନ୍ତ ଜାରି ରହିଛି।