ପ୍ରେମିକ ରୁ ସାଜିଲା ଜୀବନସାଥୀ। ଘଣ୍ଟ ହୁଳୁହୁଳି ସହ ହାତଗଣ୍ଠି ପକାଇ ପ୍ରେମିକା ମଥାରେ ସିନ୍ଦୂର ଭରିଲା ପ୍ରେମିକ…

ବିବାହ କୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ପରିବାରଲୋକେ ଖୁବ୍ ଧୁମଧାମ ର ସହିତ ନିଜ ପୁଅଝିଅଙ୍କ ବିବାହ କରିଥାନ୍ତି । ଦୁଇ ଜଣଙ୍କ ବିବାହରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ପ୍ରେମ। କିନ୍ତୁ ନିକଟରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଘରଲୋକ ବିବାହ ପାଇଁ ରାଜି ନହେବାରୁ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରିଲେନି ଏବଂ ଜନ୍ମଜନ୍ମର ସାଥି ହେବା ପାଇଁ ଘରଛାଡି ଚାଲି ଆସିଥିଲେ। ମନ୍ଦିରରେ ଠାକୁରଙ୍କୁ ସାକ୍ଷୀ ରଖି ବିବାହ କରିଛନ୍ତି। ସବୁ ବିବାହ ପରି ନଥିଲା କିଛି ଆଡ଼ମ୍ବର। ନା ଥିଲା ବେଦୀ କିମ୍ବା ବିବାହ ମଣ୍ଡପ । ବାଜୁନଥିଲା ରୋଷଣୀ କି କେଉଁଠି କୁଆଡେ ଦିଶୁନଥିଲେ ବରଯାତ୍ରୀ । ନଥିଲା ବେଣ୍ଡବାଜା ର ସାଉଣ୍ଡ କି ଫୁଟୁ ନଥିଲା ବାଣ। ତଥାପି ସେଇଠି ବିବାହ ଚାଲିଥିଲା, ପଣ୍ଡିତଙ୍କ ପବିତ୍ର ବେଦମନ୍ତ୍ର ଉଚ୍ଚାରଣ ସହିତ ମିଶୁଥିଲା ମନ ସହିତ ମନଟିଏ।

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୂର୍ ପଞ୍ଚାୟତ ଟେକରତୋଳା ଗାଁରେ । ଏହି ଗାଁର ଜଣେ ଯୁବକ ନିଜ ଗାଁ ପାଖ ଜଣେ ଝିଅଙ୍କୁ ଭଲ ପାଉଥିଲେ । ଏହାପରେ ବିବାହ ପ୍ରସ୍ତାବ ପଡ଼ିବାରୁ ଝିଅଘର ଲୋକେ ରାଜି ହୋଇନଥିଲେ । ଦୁହେଁ ଦୁହିଁଙ୍କୁ ଛାଡ଼ି ଅଲଗା ରହି ପାରିବେନି ବୋଲି ଘର ଛାଡ଼ି ଚାଲିଯାଇ ନିକଟସ୍ଥ ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ତିନି ଠାକୁରଙ୍କୁ ସାକ୍ଷୀ ରଖି ବିବାହ କରିଛନ୍ତି ।

ତେବେ ଝିଅଘର ଲୋକ ଏନେଇ ପୋଲିସ୍ ନିକଟରେ ଅଭିଯୋଗ କରିଥିବା ବେଳେ ସେଇ ଆଧାରରେ ପୋଲିସ୍ ଦୁହିଁଙ୍କୁ ଉଠାଇ ନେଇଥିଲା । ସେଠାରେ ଦୁହେଁ ଦୁହିଁଙ୍କ ସହମତିରେ ବିବାହ କରିଥିବା ନେଇ ପୋଲିସ୍ ନିକଟରେ ପ୍ରକାଶ କରିଥିଲେ । ପୋଲିସ୍ ଉଭୟ ପକ୍ଷରୁ ସମସ୍ତ ତଥ୍ୟ ଓ ସୂଚନା ସଂଗ୍ରହ କରିବା ପରେ ଦୁହେଁ ସାବାଳକ ହୋଇ ଥିବାରୁ ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ବୁଝାମଣା କରି ଥାନାରୁ ଛାଡ଼ିଥିବା ଜଣାପଡ଼ିଛି । ଶେଷରେ ଦୁହିଁଙ୍କ ପ୍ରେମକୁ ମିଳିଛି ସାମାଜିକ ସ୍ଵୀକୃତି ।