ସ୍ତ୍ରୀ ରିଲ୍ସ ତିଆରି କରୁଥିବାରୁ ସହି ପାରିଲାନି ସ୍ୱାମୀ, ତଣ୍ଟି ଚିପି ନେଇଗଲା ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ରିଲ୍ସ ତିଆରି କରି ବେସ୍ ଲୋକପ୍ରିୟତା ହାସଲ କରିଥିଲେ ସ୍ତ୍ରୀ। କିନ୍ତୁ, ଏହା ସ୍ୱାମୀଙ୍କୁ ବିଶେଷ ପସନ୍ଦ ଆସିଲା ନାହିଁ। ମାତ୍ର ଏହି କାରଣ ହେତୁ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ପଛାଇ ନାହାଁନ୍ତି ଏହି ବ୍ୟକ୍ତି। ତାମିଲନାଡୁର ତିରୁପୁର ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାଇ ଚିତ୍ରା ନାମକ ଏହି ମହିଳା ଡିଣ୍ଡୁଗଲର ୩୮ ବର୍ଷୀୟ ଅମୃତଲିଙ୍ଗମଙ୍କୁ ବିବାହ କରିଥିଲେ। ତେବେ, ସବୁକିଛି ଠିକ ଚାଲିଥିବା ବେଳେ ଚିତ୍ରାଙ୍କର ଇଂଷ୍ଟାଗ୍ରାମରେ ରିଲ୍ସ ତିଆରି କରିବାର ଅଭ୍ୟାସ ରହିଥିଲା। ତାଙ୍କର ଇଂଷ୍ଟାଗ୍ରାମ ଅକାଉଣ୍ଟରେ ୩୩.୩k ଫଲୋର୍ସ ରହିଥିଲେ। ଚିତ୍ରାଙ୍କୁ ଏଥିରେ ସଫଳତା ମିଳୁଥିବାରୁ ସେ ଚେନ୍ନାଇ ଯାଇ ଆକ୍ଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ, ଚିତ୍ରା ଗତ ସପ୍ତାହରେ ନିଜ ଝିଅର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଘରକୁ ଆସିଥିଲେ। ବିବାହ ଉତ୍ସବ ସରିବା ପରେ ସେ ପୁଣିଥରେ ଚେନ୍ନାଇ ଯିବାକୁ ବାହାରିଥିଲେ। କିନ୍ତୁ, ତାଙ୍କର ରିଲ୍ସ ତିଆରି କରିବା କିମ୍ବା ଅଭିନୟ କରିବା ପସନ୍ଦ ନ ଥିବାରୁ ସ୍ୱାମୀ ଅମୃତଲିଙ୍ଗମ ଚିତ୍ରାଙ୍କୁ ଯିବାପାଇଁ ବାରଣ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଶେଷରେ, ଅମୃତଲିଙ୍ଗମ ଏକ ସାଲ୍ ସାହାଯ୍ୟରେ ଚିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତ ଅମୃତଲିଙ୍ଗମ୍‌ଙ୍କୁ ପେରୁମାନଲୁରରୁ ଗିରଫ କରିଥିବା ଜଣାପଡ଼ିଛି।

Leave a Comment