ବିନା ନିମନ୍ତ୍ରଣରେ ଭୋଜି ଖାଇଦେଲେ ବୋଲି MBA ଛାତ୍ରକୁ ପ୍ଲେଟ୍ ଧୋଇବାର ଦଣ୍ଡ ଦେଲେ କନ୍ୟା ପକ୍ଷ, ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ବିବାହ ଭୋଜିରେ କନ୍ୟାପକ୍ଷ ଲୋକେ ଜଣେ ଛାତ୍ରଙ୍କୁ ଜୋର ଜବରଦସ୍ତ ଅଇଁଠା ପ୍ଲେଟ ମାଜିବାକୁ ବାଧ୍ୟ କରୁଥିବା ଭଳି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ବିନା ନିମନ୍ତ୍ରଣରେ ବାହାଘର ଭୋଜିରେ ଖାଇଥିବାରୁ ଛାତ୍ର ଜଣଙ୍କୁ ଏଭଳି ଭାବରେ ବେଇଜ୍ଜତ କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ଭୋପାଳର ମ୍ୟାରେଜ୍ ଗାର୍ଡେନ ଠାରେ ଏହି ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକ ଜଣକ ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ଚାଲି ଆସିଥିଲେ। କନ୍ୟା ପକ୍ଷ ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ଯୁବକଙ୍କୁ ତାଙ୍କର ପରିଚୟ ପଚାରିଥିଲେ। ଯୁବକ ଜଣକ ସନ୍ତୋଷଜନକ ଉତ୍ତର ନ ଦେଇପରିବାରୁ ସେଠାରେ ଉପସ୍ଥିତ କିଛି ଲୋକେ ତାଙ୍କୁ ଅଇଁଠା ପ୍ଲେଟ ମାଜିବା ପାଇଁ ବାଧ୍ୟ କରିଥିଲେ।

ଭାଇରାଲ ହେଉଥିବା ଭିଡ଼ିଓଟିରେ ଜଣେ ବ୍ୟକ୍ତି ଯୁବକଙ୍କୁ ପ୍ଲେଟ ମଜାଉଥିବା ବେଳେ ତାଙ୍କ ନାମ ଏବଂ ପରିଚୟ ପଚାରୁଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଜଣେ ଏମବିଏ ଛାତ୍ର ବୋଲି ଜଣାପଡିଛି। ଏଥିନେଇ ଉଭୟ ପକ୍ଷରୁ ଥାନାରେ କୌଣସି ପ୍ରକାର ଏତଲା ଦିଆଯାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି।

Leave a Comment