ପୁରୀର ନରେନ୍ଦ୍ର ପୋଖରୀରେ ଅଘଟଣ! ଚାପ ଖେଳ ବେଳେ ବାଣ ଫୁଟି ଜଣେ ମୃତ, ୩୦ରୁ ଅଧିକ ଆହତ…

ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ। ମେ ୨୯ ବୁଧବାର ବିଳମ୍ବିତ ରାତିରେ ନରେନ୍ଦ୍ର ପୋଖରୀ ନିକଟରେ ଘଟିଥିଲା ଏହି ଅଘଟଣ। ଯେଉଁଠାରେ ଭଗବାନ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ଚାପ ଖେଳ ଚାଲିଥିଲା। ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୨୭ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ବର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣ ଫୁଟି ପୋଡ଼ି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତି କମରେ 7 ରୁ 8 ଜଣ ଶିଶୁ ଅଛନ୍ତି ବୋଲି ଜଣାଯାଇଛି।

ଗୁରୁତରଙ୍କ ମଧ୍ୟରୁ ଜଣେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସର୍ବଶେଷ ରିପୋର୍ଟରେ କୁହାଯାଇଛି। ମୃତଦେହ ପୋଷ୍ଟମର୍ଟମ ପରେ ମୃତକଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂତ୍ରରୁ ପ୍ରକାଶ। ମୃତକଙ୍କ ନାମ ୠଷିକେଶ କର୍ମକର ବୋଲି ଜଣାପଡିଛି। ସେ ପୁରୀର ବାସିନ୍ଦା ଥିଲେ।