ଗର୍ଭ ଯନ୍ତ୍ରଣାଠୁ ଅଧିକ କାଟୁଛି ପୁଅର ମାଡ଼, ଭୟରେ ଘରକୁ ଯାଉନାହାନ୍ତି ବାପା ମା’…

ମା ବାପା ମାନେ ତାଙ୍କ ଛୁଆ ପାଇଁ କେତେ ଯେ ସ୍ୱପ୍ନ ଦେଖିଥିବେ ତାହା ହୁଏତ ସେହି କଥାକୁ କେହି ବର୍ଣ୍ଣନା କରିପାରିବେନି । ମା ତା ଛୁଆକୁ ୯ ମାସ ଧରି ପେଟରେ ରଖି ଜନ୍ମ ଦେଇଥାଏ । ସବୁ ଯନ୍ତ୍ରଣା ସହି ମଧ୍ୟ ମା ବାପା ଛୁଆର ସେବା କରିଥାନ୍ତି । ହେଲେ ସେମାନେ ଛୁଆ ମାନଙ୍କ ଠାରୁ କିଛି ଆଶା କରନ୍ତି ନାହିଁ । ହେଲେ ଆଜି ବି ବେସାହାରା ବାପା ମା । ୫ ସନ୍ତାନ ଥାଇ ବି କେହି ବାପାଙ୍କୁ ପାଚାରୁ ନାହାନ୍ତି । ବାପା ମାଙ୍କୁ ଚଳନ୍ତି ପ୍ରତିମା ରୂପରେ ଭଗବାନ ସୂୟଂ କହିଛନ୍ତି କିନ୍ତୁ ଆଜି ସବୁ ସୀମା ପାର ହୋଇଛି । ବାପା ମାଙ୍କୁ ମାଡ ମାରିବା ସହ, ତାଙ୍କୁ ଘରେ ରଖିବାକୁ ଚାହୁଁ ନାହାନ୍ତି ସନ୍ତାନ ମାନେ । ତେବେ ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ।

ଭଦ୍ରକ ପୁରୁଣା ବଜାର ଶଙ୍କରପୁର ଅଂଚଳର କାଳନ୍ଦୀ ମିଶ୍ର ଓ ନୟନା ମିଶ୍ରଙ୍କୁ ତାଙ୍କର ମଝିଆ ପୁଅ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ୫ ପୁଅ, ଗୋଟିଏ ଝିଅରେ ଉଛୁଳି ଉଠୁଥିଲା ହସଖୁସିର ସଂସାର । ବୃଦ୍ଧା ବୟସରେ ପୁଅମାନେ ସାହା ଭରସା ହେବେ ବୋଲି ବାପାମା’ଙ୍କ ଛାତି ବି କୁଣ୍ଢେମୋଟ ହେଉଥିଲା ।

ହେଲେ ସମୟ ସହ ବଦଳି ଯାଇଛି ସ୍ଥିତି, ବଦଳି ଯାଇଛି ପୁଅମାନଙ୍କ ସ୍ୱଭାବ, ଆଚରଣ । ଦିନେ ବାପା ମା’ଙ୍କ ପାଖ ଛାଡ଼ୁ ନ ଥିବା ଛୁଆମାନେ ଏବେ ସେମାନଙ୍କୁ ପାଖରେ ପୂରାଇ ଦେଉ ନାହାନ୍ତି । ବାପା ମା’ଙ୍କୁ ଆହା ପଦେ କହୁ ନଥିବା ପୁଅ କିନ୍ତୁ ଉଭୟଙ୍କୁ ପିଟିବାକୁ ପଛାଉ ନାହାନ୍ତି । ବାଧ୍ୟ ହୋଇ ବୃଦ୍ଧ ବାପା ମା’ ମାଡ଼ ଭୟରେ ଆଜି ତା’ ଘରେ ତ କାଲି ଆଉ କାହା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି । କିଛି ଦିନ ପୂର୍ବେ ମଝିଆ ପୁଅ କାଳନ୍ଦୀ ମିଶ୍ରଙ୍କୁ ନିର୍ଧୂମ ପିଟିଥିବା ନେଇ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ ବଡ଼ ପୁଅ ମହେଶ ମିଶ୍ର ।

ଦେଖନ୍ତୁ ଭିଡିଓ :-

ଗୁରୁତର ଅବସ୍ଥାରେ ବାପା କାଳନ୍ଦୀ ମିଶ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ସେ ଭଦ୍ରକ ମେଡିକାଲରେ ଚିକିତ୍ସିତ ଅଛନ୍ତି । ଅବସ୍ଥା ସୁଧୁରୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ସାରିଲେଣି । ମାତ୍ର ଘରକୁ ଯିବାକୁ ମଙ୍ଗୁ ନାହାନ୍ତି ବୃଦ୍ଧ ଦମ୍ପତି କାରଣ ଘରକୁ ଗଲେ ପୁଅ ପୁଣି ପିଟିବ । ୧୪ ଦିନ ହେବ ହସ୍ପିଟାଲରେ ରହିଛନ୍ତି ବାପା ମା I ତେବେ ଜିଲ୍ଳା ପ୍ରଶାସନକୁ ଅନୁରୋଧ ବୃଦ୍ଧା ଦମ୍ପତିଙ୍କୁ ଘରେ ଛାଡିବାର ବନ୍ଦୋବସ୍ତ କରିବା ସହ କିପରି ଭଲରେ ରହିବେ ତାହା ପାଇଁ ମଧ୍ୟ ସହଯୋଗ କରିବେ ।