କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର?

ପୂର୍ଣ୍ଣ ବହୁମତରେ ଓଡ଼ିଶାରେ ବିଜେପି ଜିତିବା ପରେ ଏବେ ମୁଖ୍ୟମନ୍ତ୍ରୀ ପାଇଁ ଚାଲିଛି କସରତ। ଜୁନ୍ ୧୦ ରେ ଜଣା ପଡିବ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ? 

୭ ତାରିଖରରେ ଦିଲ୍ଲୀରେ ବସିଥିଲା ଦଳର ସଂସଦୀୟ ବୋର୍ଡ ବୈଠକ। ଏଥିପାଇଁ ରାଜ୍ୟ ବିଜେପିର କିଛି ନେତା ଦିଲ୍ଲୀରେ ପହଞ୍ଚିଥିଲେ। ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଦିଲ୍ଲୀରେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଯୋଜନା ଚାଲିଥିବାବେଳେ ଏକାଧିକ ନାଁ ଚର୍ଚ୍ଚାକୁ ଆସିଛି। ଯାହା ମଧ୍ୟରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପାଟଣାଗଡ଼ରୁ ଜିତିଥିବା ପୂର୍ବତନ ରାଜ୍ୟ ବିଜେପି ସଭାପତି କେ.ଭି. ସିଂଦେଓ, ବ୍ରଜରାଜନଗରରୁ ଜିତିଥିବା ବରିଷ୍ଠ ନେତା ସୁରେଶ ପୂଜାରୀ, କେନ୍ଦୁଝରରରୁ ଜିତିଥିବା ମୋହନ ମାଝୀ ପ୍ରମୁଖ।

ଅନ୍ୟପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ଚେହେରା ବନିଥିବା ୫ ହେଭିୱେଟ ନେତା, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀଙ୍କ ଭଳି ଅଭିଜ୍ଞ ନେତାଙ୍କ ମଧ୍ୟରୁ ଜଣଙ୍କୁ ଦଳ ଏଠି ଦାୟିତ୍ୱ ଦେବାର ବି ସମ୍ଭାବନା ରହିଛି। ସେହିପରି ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନର ସିଏଜି ତଥା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା।

ତେବେ ଅପେକ୍ଷା ରହିଲା ଆସନ୍ତା ୧୦ ତାରିଖକୁ। କିଏ ଆସିବେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାକୁ…