ଗଞ୍ଜାମ ଭଞ୍ଜନଗର ଜଳଭଣ୍ଡାରରେ ପାଣି କମିବାରୁ ୧୩୦ ବର୍ଷ ପୂର୍ବେ ବୁଡିଯାଇଥିବା ବିଶ୍ବନାଥ ମହାଦେବଙ୍କ ମନ୍ଦିର ଏବେ ଦୃଶ୍ୟମାନ ହୋଇଛି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାରେ ଥିବା ଜଳଭଣ୍ଡାର ଗୁଡିକରେ ଜଳସ୍ତର ମାତ୍ରାଧିକ ପରିମାଣରେ କମିବାରୁ ଏବେ ଏହି ପୁରାତନ ମନ୍ଦିରର ଚୂଡ଼ା ସ୍ବଷ୍ଟ ଭାବେ ଦୃଶ୍ୟମାନ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗଞ୍ଜାମ ଭଞ୍ଜନଗର ଜଳଭଣ୍ଡାର ବ୍ରିଟିଶ୍ ଅମଳର।
ସେଠି ଛେଦାଭୂମି ନାମକ ଗାଁ ମଧ୍ୟ ଥିଲା। ଯେଉଁଠି ମନ୍ଦିରରେ ପୂଜା ପାଉଥିଲେ ବିଶ୍ବନାଥ ମହାଦେବ। ହେଲେ ୧୩୦ରୁ ୧୪୦ ବର୍ଷ ପୂର୍ବେ ଜଳଭଣ୍ଡାର ନିର୍ମାଣ ହେବାରୁ ସେଠିକା ଲୋକମାନେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଗଲେ। ମନ୍ଦିର ମଧ୍ୟ ବୁଡିଯିବାରୁ ମହାଦେବଙ୍କୁ ଅନ୍ୟ ଏକ ସ୍ଥାନରେ ମନ୍ଦିରରେ ସ୍ଥାପିତ କରାଯାଇ ପୂଜା କରାଯାଉଛି। ହେଲେ ଏବେ ଜଳଭଣ୍ଡାର ଶୁଖିବାକୁ ଆରମ୍ଭ କରିବାରୁ ବୁଡିଯାଇଥିବା ୧୩୦ ବର୍ଷ ପୁରୁଣା ମନ୍ଦିରର ଚୂଡା ଏବେ ଦେଖାଗଲାଣି।
ଯାହାକୁ ନେଇ ସେଠିକା ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଚଳିତ ବର୍ଷ ବର୍ଷା ଭଳରେ ନହେବାରୁ ଧାନ ଚାଷ ଭଲ ହୋଇନାହିଁ। ଏପଟେ ଜଳ ଭଣ୍ଡାର ଶୁଖିବାକୁ ଲାଗିବାରୁ ଏହାକୁ ନେଇ ଉଭୟ ଚାଷୀ ଓ ମତ୍ସ୍ୟଜୀବିଙ୍କୁ ଘାରିଲାଣି ପାଣି ସଙ୍କଟ। ଯାହା ଦୀର୍ଘ ୧୫୦ ବର୍ଷ ଧରି କେବେ ଶୁଖିନଥିଲା ତାହା ଏବେ ଶୁଖିବାକୁ ଆରମ୍ଭ କରିବାରୁ ଚିନ୍ତା ପ୍ରକଟ କରିଚନ୍ତି ଗ୍ରାମବାସୀ। ଅନ୍ୟପକ୍ଷରେ ସବୁ ଜଳଭଣ୍ଡାର ମୁଖ୍ୟସ୍ରୋତ ଏବେ ଶୁଖିଲା ପଡିଛି।
ବର୍ଷା ଋତୁରେ ଫୁଲି ଉଠିଥିବା ମହାନଦୀ ଶଯ୍ୟାରେ ଏବେ ପଥର, ବାଲି ଆଉ କେଉଁଠି କେମିତି ବଡ଼ ବଡ଼ ଘାସ ଦେଖାଯାଉଛି। ଧିରେ ଧିରେ ମହାନଦୀ ସ୍ରୋତ ଶୁଖିବାକୁ ଆରମ୍ଭ କରିଲାଣି। ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ସବୁତକ ଗେଟ୍ ବନ୍ଦ କରିଦେବା ପରେ ମହାନଦୀରେ ଆଉ ପାଣି ଆସୁନାହିଁ। ଧାନ ଅମଳ ସମୟ ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲଗୁଡ଼ିକରେ ଜଳଯୋଗାଣ ମଧ୍ୟ ବନ୍ଦ ରହିଛି।