୨୧ ମାସର ଶିଶୁ ଜୀବନ ସିନା ହରିଲା, ହେଲେ ଦେଇଗଲା ଦୁଇ ଜଣଙ୍କୁ ଜୀବନ। ଆସନ୍ତୁ ଜାଣିବା ପୁରା ଖବର…

ଭୁବନେଶ୍ୱରର ସମ୍‌‌ ହସ୍ପିଟାଲରେ ଘଟିଛି ଏକ ଅଭାବନୀୟ ଘଟଣା। ମତାପିତା ମାତ୍ର ୨୧ ମାସର ଶିଶୁ ପୁତ୍ରକୁ ହରାଇବା ପରେ ନିଜ ସନ୍ତାନକୁ ଅମର ରଖିବା ପାଇଁ ତା’ର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ୨୧ ମାସର ଶିଶୁଟି ଦୁଇ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛି। ମୃତ୍ୟୁ ପରେ ବି ଅମର ହୋଇଯାଇଛି କୁନି ପ୍ରତ୍ୟୁଷ। ସାନ ହୋଇ ବି ତାର ମହତ ଦାନକୁ କେବେ ଭୁଲି ହେବନାହିଁ।

୨୦୨୨ ଜୁଲାଇରେ ଜନ୍ମ ହୋଇଥିବା ଶିଶୁଟିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ଅସୁସ୍ଥ ହୋଇ ରହୁଥିଲା ପ୍ରତ୍ୟୁଷ। ମସ୍ତିଷ୍କ ଜନିତ ରୋଗରୁ ରକ୍ଷା ପାଇବା ଲାଗି ଢେର୍ ସଂଘର୍ଷ କରିଥିଲା। ମାତ୍ର ଆଉ ପାରିଲାନି। ସମସ୍ତଙ୍କୁ ଛାଡ଼ି ଚାଲିଗଲା ୨୧ ମାସର କୁନି ଛୁଆ। ଆଉ ଯିବା ବେଳେ ବଞ୍ଚାଇଦେଲା ଅନ୍ୟ ଦୁଇଟି ଜୀବନ। ଅଙ୍ଗ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ପ୍ରତ୍ୟୁଷର ବାପା ମାଆ।

ଏ ହେଉଛି ଭୁବନେଶ୍ୱର ଜଣେ ଚିତ୍ରଶିଳ୍ପୀ ଗୌରୀଶଙ୍କରଙ୍କ ପୁଅ ପ୍ରତ୍ୟୁଷର କାହାଣୀ। ଜନ୍ମ ହେବା ପରେ ମସ୍ତିଷ୍କ ଜନିତ ସମସ୍ୟା ଥିଲା। ଏଥିପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପ୍ରତ୍ୟୁଷର ଚିକିତ୍ସା ଚାଲିଥିଲା। ମାତ୍ର ଦୀର୍ଘ ଦିନର ଚିକିତ୍ସା ପରେ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ବାପା ମାଆ ଏହି ମହତ ନିଷ୍ପତ୍ତି ନେଇଥିଲେ।

ହସ୍ପିଟାଲ୍‌‌ କର୍ତ୍ତୃପକ୍ଷ ଷ୍ଟେଟ୍‌‌ ଅର୍ଗାନ୍‌‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌‌ (ସୋଟୋ)କୁ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନ୍ୟାସନାଲ୍‌‌ ଅର୍ଗାନ୍‌‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌‌ (ନୋଟୋ)କୁ ଯୋଗାଯୋଗ କରିଥିଲେ। ଶିଶୁଟିର ଲିଭରକୁ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣେ ଶିଶୁର ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିବା ବେଳେ ଦୁଇଟି କିଡ୍‌‌ନୀକୁ ଭୁବନେଶ୍ୱରର ଏକ ହସ୍ପିଟାଲ୍‌‌ରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ।