ବାଙ୍କୀ ମହାନଦୀରେ ବସ ଝୁଲିବା ଘଟଣା ବିଷୟରେ ତ ଆପଣ ଶୁଣିଥିବେ । ଯାହା ଉପରେ ଏବେ ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳକୁ ଏମଭିଆଇଙ୍କ ନେତୃତ୍ବରେ ଏକ ଟିମ ଯାଇଛି । ଗାଡିର ଫିଟନେସ ଏବଂ ପରମିଟ ଠିକ ରହିଛି । ଡ୍ରାଇଭରଙ୍କ ଭୁଲ ଯୋଗୁ ଏଭଳି ଅଘଟଣ ହୋଇଥିବା କୁହାଯାଉଛି ।
ଟଳିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବ୍ରିଜ୍ ଉପରେ ଓହଳିଲା ବସ୍ । ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ମହାନଦୀ ବ୍ରିଜ୍ ଉପରେ । ବାଙ୍କୀର ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଓହଳି ରହିଥିଲା ଏକ ଯାତ୍ରୀବାହୀ ବସ୍ । ବସ୍ ବ୍ରିଜ୍ର ସାଇଡ୍ ୱାଲ୍କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା । ତେବେ ବସ୍ଟି ମହାନଦୀରେ ପଡ଼ି ନଥିଲା । ବସ୍ଟି ବ୍ରିଜ୍ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ । ବସ୍ଟି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ ।
କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିଲା । ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି 10 ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଏବଂ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି ।
ଦେଖନ୍ତୁ ଭିଡିଓ :-
ହେଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ । ସଂପୂର୍ଣ୍ଣ ତଦନ୍ତ ପରେ ସଠିକ୍ ରିପୋର୍ଟ ଆସିବ । ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଆଇପିସି ଧାରାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ସଞ୍ଜୟ କୁମାର ବେହେରା କହିଛନ୍ତି । ସେପଟେ ଡ୍ରାଇଭର ଜଣକ କହିଛନ୍ତି, “ଆଜ୍ଞା ବସ୍ ର ସ୍ପୀଡ଼ 40-45 ଥିଲା । ବସ୍ ଠିକଠାକ ଚାଲୁଥିଲା । କିଛି ଅସୁବିଧା ନଥିଲା । କିନ୍ତୁ ହଠାତ ବ୍ରିଜ ଉପରେ ହିଁ ଗାଡି ସନ୍ତୁଳନ ହରାଇଲା ଆଉ ଏପରି ଦୁର୍ଘଟଣା ଘଟିଗଲା ।”