ରାଜଧାନୀ ଭୁବନେଶ୍ୱର ବାରରେ ଫେଲ ମାରୁଛି ଅବକାରୀ ନିୟମ, ଏତିକି ଟଙ୍କା ରେ ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ହୁଏ ଦେହ ବ୍ୟବସାୟ ପାଇଁ ଡିଲ୍!

ଆଗରୁ ବାର ମାଲିକଙ୍କୁ ସତର୍କ ସୂଚନା ଦେଇ ସାରିଛି ଅବକାରୀ ବିଭାଗ । ଏଣିକି ଯଦି ବାରରେ ନାବାଳକା ନିୟୋଜିତ ରହିଥିବେ ତାହାଲେ ବାର ମାଲିକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ କାର୍ଯ୍ୟରେ ଲଗାଇ ପାରିବେ ନାହିଁ ବାର ମାଲିକ । ଏ ନେଇ ଯଦି କୌଣସି ଖବର ମିଳେ ତେବେ ଭୁବନେଶ୍ୱରରେ ଥିବା ସମସ୍ତ ଡାନ୍ସ ବାରରେ ଆତର୍କିତ ଚଢାଉ କରାଯିବ ବୋଲି ଆଗରୁ ସୂଚେଇ ଦେଇଛି । ଏଥିପାଇଁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରିଛି । କିନ୍ତୁ ଲାଭ ଆଉ ଲୋଭ ମଝିରେ ରାଜଧାନୀର ବାର୍ ଗୁଡ଼ିକରେ ଅବକାରୀ ନିୟମର ଅବମାନନା କରାଯାଉଛି ।

ସୂଚନା ଅନୁସାରେ ଓଡ଼ିଶା ଅବକାରୀ ନିୟମ-୨୦୧୭, ଅଧିନିୟମ-୪୪ କହୁଛି, ବାର୍ ଗୁଡ଼ିକରେ କେବଳ ମନୋରଂଜନ ଉଦ୍ଦେଶ୍ୟରେ ସଂଗୀତ ପରିବେଷଣ କାର୍ଯ୍ୟକ୍ରମରେ ଯୁବତୀଙ୍କୁ ସାମିଲ କରାଯାଇପାରିବ । କିନ୍ତୁ ତାଙ୍କ ଉପରକୁ କୌଣସି ଗ୍ରାହକ ନା ତ ଟଙ୍କା ଉଡ଼ାଇପାରିବେ ନା ତ ତାଙ୍କ ପାଖକୁ ଯାଇପାରିବେ । ଡ୍ୟାନ୍ସ ଫ୍ଲୋର ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ଆବଦ୍ଧ ରହିବା ସହ ଗ୍ରାହକ ଓ ଡ୍ୟାନ୍ସ ଫ୍ଲୋର ମଧ୍ୟରେ ଦୂରତା ଅତି କମ୍‌ରେ ୧୫ ଫୁଟ୍ ରହିବ । ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ନିୟୋଜିତ ରହିବେ ସୁରକ୍ଷାକର୍ମୀ । କୌଣସି ଗ୍ରାହକ ଯଦି ବାର ଗାର୍ଲଙ୍କୁ ଟିପ୍ସ ଦେବାକୁ ଚାହିଁବେ, ସୁରକ୍ଷାକର୍ମୀଙ୍କ ମାଧ୍ୟମରେ ଦେଇପାରିବେ । ମଦ କିମ୍ବା ଖାଦ୍ୟଦ୍ରବ୍ୟ ପରଷିବା କାମରେ ବାର୍ ଗାର୍ଲଙ୍କୁ ନିୟୋଜିତ କରାଯାଇପାରିବ ନାହିଁ ବୋଲି ରହିଛି ଅବକାରୀ ଆଇନରେ ।

ହେଲେ ଏବେ ବାରର ଅନ୍ଧାର ଗଳିରେ ଉଡୁଥିବା ଟଙ୍କାର ଖେଳ ଭିତରେ ଚାଲୁଛି ଦେହର ସୌଦା । ରଙ୍ଗବେରଙ୍ଗ ଆଲୁଅର ଲୁଚକାଳି ଖେଳ ଭିତରେ ନୃତ୍ୟରତ ବାର୍ ଗାର୍ଲଙ୍କ ସହ ଖୁଲମଖୁଲ୍ଲା ଡିଲ୍ ହେଉଥିବାବେଳେ ସେହି ରଙ୍ଗୀନ ରାତିର ଗରାଖ ସାଜୁଛନ୍ତି ଯୁବଠୁ ବୟସ୍କ । କିଛିଦିନ ତଳେ ଏଭଳି କାରନାମା ବିରୋଧରେ ଥାନାରେ ୨ ବାର୍ ଗାର୍ଲ ଏତଲା ବି ଦେଇଥିଲେ । ଆଉ ଏବେ ଦେହ ବ୍ୟବସାୟ ପାଇଁ ଡିଲ୍ ବେଳର EXCLUSIVE ଚିତ୍ର ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଶୁଣନ୍ତୁ ଚାଞ୍ଚଲ୍ୟକର ବୟାନ ।

ଦେଖନ୍ତୁ ଭିଡିଓ :-

କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର ଅଞ୍ଚଳର ନିର୍ଦ୍ଦିଷ୍ଟ ଏକ ବାରର ଦୃଶ୍ୟ । ଏଭଳି କୁତ୍ସିତ କାର୍ଯ୍ୟ କରାଯାଉଥିବା ଅଭିଯୋଗ ଆଣି କ୍ୟାପିଟାଲ୍ ଥାନାର ଦ୍ୱାରସ୍ଥ ହୋଇଥିଲେ ଏହି ବାରରେ କାର୍ଯ୍ୟ କରିଥିବା ୨ ବାର୍ ଗାର୍ଲ । ଆଉ ଉଦାହରଣ ସ୍ୱରୂପ ଏବେ ସାମ୍ନାକୁ ଆସିଛି ଦେହ ପାଇଁ ଡିଲ୍ ବେଳର ଚିତ୍ର । ରାଜଧାନୀର ବାର ଗୁଡ଼ିକରେ ଏଭଳି ରଙ୍ଗୀନ ରାତିର କାହାଣୀ ଗୋଟିଏ କି ଯୋଡ଼ିଏ ନୁହେଁ । ଏକାଧିକ ସ୍ଥାନରେ ଚାଲିଛି ନିଷିଦ୍ଧ କାରବାର ।