ଗିରଫ ହେଲେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେବା ପରେ ଏବେ ଜେଲ୍ ଯାଇଛନ୍ତି ଟୁଟୁ ନାୟକ । ତେବେ ଟୁଟୁ ନାୟକଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଛି ଏବଂ ଆସନ୍ତା ୬ ତାରିଖରେ ପୁନଃ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହେଇଛି । ଏହାପରେ ଟୁଟୁ ନାୟକଙ୍କୁ ୧୪ ଦିିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଟୁଟୁ ନାୟକ ।
ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲଗାଇଛି । ତେବେ ଏହି ମାମଲାରେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆସନ୍ତା ୬ ତାରିଖ ଦିନ ପୁନଃ ଶୁଣାଣି ହେବ । ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ୱର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ପରେ ଅଭିଯୁକ୍ତ ଶ୍ରୀ ନାୟକଙ୍କୁ କୋର୍ଟରେ ହାଜର କରିଥିଲା ।
ସୂଚନାଯୋଗ୍ୟ ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା । ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ । ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ । ଗେଟ୍ ମଝିରେ ଛିଡ଼ା ହୋଇଥିଲେ । ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ । ପରେ ତାଙ୍କ ଗାଲ୍କୁ ଚାପୁଡାଏ ମାରିଥିଲେ ।
ଦେଖନ୍ତୁ ଭିଡିଓ :-
ଅଭିଯୋଗରେ ଦର୍ଶାଯାଇଛି ଯେ, ଅପରାହ୍ଣ ପାଖାପାଖି ୧୨.୩୦ ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗର ସ୍ଥିତ ସ୍ବସ୍ତି ସିନେମା ହଲ୍କୁ ଯାଇଥିଲେ । ସେମାନେ ଗେଟ୍ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲ୍ରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ । ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍ ଓ ମୋବାଇଲ୍ ଖସି ତଳେ ପଡ଼ିଥିଲା ।
କାହିଁକି ଚାପୁଡ଼ା ମାରିଲ ବୋଲି ପଚାରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ ଚାପୁଡ଼ା ମାରିଥିଲେ । ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡ଼ିଥିଲେ । ବୁମ୍ ଓ ମୋବାଇଲ୍ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ । ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।