ଆପଣଙ୍କ ଝିଅକୁ ଭୁବନେଶ୍ୱରରେ ବାହା ଦିଅନ୍ତୁ ନାହିଁ । ଭୁବନେଶ୍ୱରରେ ଲୋକେ ହେଉଛନ୍ତି ଲୋଭି ଦାନବ ଏବଂ ଏହା ହେଉଛି ଏକ ମରଣ ଯନ୍ତା । ଝିଅର ମୃତ୍ୟୁ ପରେ ଏଭଳି କିଛି କହି ଭୋ ଭୋ ହୋଇ କାନ୍ଦୁଛି ଜଣେ ବାପ । ଝିଅର ମୃତ୍ୟୁ ପରେ ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ।
ଅଭିଯୋଗ ମୁତାବକ ୨୦୨୧ ମସିହା ଜୁଲାଇ ୧୪ ତାରିଖରେ କେଦାରଗୌରୀ ମଣ୍ଡପରେ କେନ୍ଦ୍ରାପଡ଼ାର ପ୍ରିୟଙ୍କାଙ୍କ ସହିତ ଭୁବନେଶ୍ୱର କୁନାନଗେଟ୍ ଅଞ୍ଚଳର ସରୋଜଙ୍କର ବୈଦିକ ରୀତି ନୀତିରେ ବାହାଘର ହୋଇଥିଲା । ତେବେ, ବାହାଘର ପରେ ପରେ ହିଁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା ।
ଶାଶୂଘରେ ପ୍ରିୟଙ୍କାଙ୍କୁ ଖୁବ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ସ୍ୱାମୀଙ୍କର ଅନ୍ୟ ମହିଳାମାନଙ୍କ ସହିତ ପ୍ରେମ ଏବଂ ଅନୈତିକ ସମ୍ପର୍କ ରହିଥିବା ଜାଣିବାକୁ ପାଇଥିଲେ ପ୍ରିୟଙ୍କା । ଏଥିନେଇ ପଚାରିବାରୁ ସ୍ୱାମୀ ପାଲଟା ଗାଳି କରିଥିଲେ । ଏହା ପରେ ସ୍ବାମୀ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ ।
ଦେଖନ୍ତୁ ଭିଡିଓ :-
ଦିନେ ପ୍ରିୟଙ୍କାଙ୍କ ହାତରେ ସ୍ୱାମୀଙ୍କ ଫୋନ ଲାଗିବାରୁ ସବୁ ସତ ସାମ୍ନାକୁ ଆସିଥିଲା । ଉକ୍ତ ଫୋନରେ ଅନେକ ମହିଳାଙ୍କର ଅଶ୍ଳୀଳ ଫୋଟୋ ରହିଥିଲା । କେବଳ ସେତିକି ନୁହେଁ ମେସେଞ୍ଜରରେ ମଧ୍ୟ ସରୋଜ ଅନେକ ଝିଅଙ୍କ ସହିତ ସେକ୍ସ ଚାଟ୍ କରୁଥିବା ନେଇ ପୂର୍ବରୁ ଅଭିଯୋଗ ଆଣି ସାରିଛନ୍ତି ପ୍ରିୟଙ୍କା ।
ପରବର୍ତ୍ତୀ ସମୟରେ ଝିଅ ଆତ୍ମହତ୍ୟା କରିଥିବା ନେଇ ଶାଶୂଘର ଲୋକେ ସୂଚନା ଦେଇଥିଲେ । ତେବେ, ଝିଅର ସନ୍ଦେହଜନକ ମୃତ୍ୟୁରେ ଶାଶୂଘର ଲୋକେ ଦାୟୀ ଏବଂ ଏହା ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକେ । ଅନ୍ୟପଟେ ଝିଅର ଅନ୍ୟ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରହିଥିବା ଶାଶୂଘର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ସ୍ୱାମୀ ସରୋଜକୁ ଅଟକ ରଖି ପଚରାଉଚରା କରୁଛି ।