ପ୍ରେମ ପାଲଟିଲା ଅଭିଶାପ, ପ୍ରେମୀ ଯୁଗଳଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ। ଭୁଲିଗଲେ ମଣିଷପଣିଆ…

ଲୋକେ ଭୁଲିଗଲେ ମଣିଷପଣିଆ। ଆଗ ପଛ କିଛି ନ ବିଚାରି ଅମଣିଷ ପରି ପିଟି ଚାଲିଲେ। ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରେମ ପାଇଁ ନିସ୍ତୁକ ମାଡ଼ ଖାଇଲେ ପ୍ରେମୀ ଯୁଗଳ। କିଏ ଲାତଗୋଇଠା ମାରିଲା ତ ଆଉ କିଏ ଲାଠି ଆଉ ଠେଙ୍ଗାରେ ମାଡ଼ ମାରିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳର। ପ୍ରେମୀ ଯୁଗଳଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ସଂପର୍କୀୟ ଓ ଗ୍ରାମବାସୀ। ଭୁଲ୍‌ ଏତିକି ସେମାନେ ପରସ୍ପରକୁ ପ୍ରେମ କରୁଥିଲେ।

ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଯୁବକ ହେଲେ ଝରିଗାଁ ବ୍ଲକ ଅଞ୍ଚଳର ଏବଂ ତାଙ୍କ ନାବାଳିକା ପ୍ରେମିକା ହେଲେ ଡାବୁଗାଁ ଥାନା ଅଞ୍ଚଳର। ଗତ ସପ୍ତାହେ ହେଲା, ଉଭୟଙ୍କୁ ନାବାଳିକାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଧରି ଆଖିରେ ପଟି ବାନ୍ଧିବା ସହ ମାଡ଼ ମାରିଥିଲେ। ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ।

ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ। ତେବେ ଏହି ଦୃଶ୍ୟ ବିଚଳିତ କରିବ ନିଶ୍ଚୟ। କିନ୍ତୁ ଆଇନକୁ ହାତ ନେଇ ଏଭଳି କରିବା ଯେ ଅପରାଧ ସେମାନେ ଭୁଲି ଯାଇଛନ୍ତି। ଏନେଇ ନବରଙ୍ଗପୁର ଏସପି ସୋସିଆଲ୍ ମିଡ଼ିଆ ଜରିଆରେ ବାର୍ତ୍ତା ଦେଇ କହିଛନ୍ତି, ଘଟଣା ସଂପର୍କରେ ଅବଗତ ଅଛନ୍ତି। ପୋଲିସ ପାଖରେ ଏଯାଏଁ କେହି ଅଭିଯୋଗ କରିନଥିଲେ ମଧ୍ୟ ଏହାର ଅନୁଧ୍ୟାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।