ଭାରତ ଛାଡ଼ିବେ ବିରାଟ-ଅନୁଷ୍କା । ସବୁ ଦିନ ପାଇଁ ଲଣ୍ଡନରେ ରହିବେ । କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ତାରକା ଅନୁଷ୍କା ସବୁଦିନ ପାଇଁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ସନ୍ତାନ ଭାମିକା ଓ ଆକାୟଙ୍କ ସହ ସେମାନେ ସବୁଦିନ ପାଇଁ ଲଣ୍ଡନରେ ରହିବେ । କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା ଏହି ସୂଚନା ଦେଇଛନ୍ତି ।
ଦ୍ୱିତୀୟ ସନ୍ତାନ ଅକାୟ ଜନ୍ମ ପୂର୍ବରୁ ବିରାଟ ପତ୍ନୀ ଓ ଝିଅଙ୍କ ସହ ଅଧିକାଂଶ ସମୟ ଲଣ୍ଡନରେ ଅତିବାହିତ କରୁଥିଲେ । ସେଠାରେ ତାଙ୍କର ଘର ଥିବା ଜଣାଯାଇଛି। ବିରାଟ ଏବେ ପରିବାର ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି। ପିଲାଙ୍କ ଭବିଷ୍ୟତ ନିମନ୍ତେ ଲଣ୍ଡନ ସିଫ୍ଟ ହେବାକୁ ବିରାଟ ଓ ଅନୁଷ୍କା ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ଗତ କିଛି ମାସ ଧରି ବିରାଟ ପରିବାର ସହ ଲଣ୍ଡନରେ ଅଧିକ ସମୟ ରହୁଛନ୍ତି । ଆଉ ଏଥର ସେ ଭାରତକୁ ବାଏ ବାଏ କହି ସବୁଦିନ ପାଇଁ ଲଣ୍ଡନ ଚାଲିଯିବେ ବୋଲି କହିଛନ୍ତି ତାଙ୍କ ପିଲା ଦିନର କୋଚ । ଏହି ଘଟଣା ବିରାଟଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି ।
ବିରାଟ କୋହଲି ବର୍ତ୍ତମାନ୍ ଭାରତୀୟ ଟିମ୍ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ପୂର୍ବରୁ ସେ ଟି୨୦ରୁ ଅବସର ଘୋଷଣା କରିସାରିଛନ୍ତି । ଏବେ ଟେଷ୍ଟରେ ତାଙ୍କର ଫର୍ମ ଭଲ ନ ଥିବା ନେଇ ଜୋର ଚର୍ଚ୍ଚା ହେଉଛି । ସେ ଟେଷ୍ଟରୁ ଅବସର ଘୋଷଣା କରିବା ପରେ ଭାରତ ଛାଡ଼ି ସବୁ ଦିନ ପାଇଁ ଲଣ୍ଡନ ପଳାଇବେ ବୋଲି ଶୁଣାଯାଉଛି।