ସ୍ବାମୀଙ୍କ ମୃତ୍ୟୁର କିଛି ମିନିଟ ମଧ୍ୟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଘୋଘା ଥାନା ଅଞ୍ଚଳର ହରିଜନ ଟୋଲିରେ ଘଟିଛି ।
ସୂଚନାଯୋଗ୍ୟ, ହରିଜନ ଟୋଲିରେ ବସବାସ କରୁଥିବା ମହେଶ ହରିଜନ(୭୫)ଙ୍କ ମୃତ୍ୟୁ ରୋଗଗ୍ରସ୍ତ ହେତୁ ଗତବୁଧବାର ସକାଳ ୪.୩୦ଟାରେ ହୋଇଥିଲା । ମୃତକ ମହେଶଙ୍କ ୭୦ବର୍ଷୀୟ ସ୍ତ୍ରୀ ଯେତେବେଳେ ସ୍ବାମୀଙ୍କୁ ଡାକିବାକୁ ଯାଇଥିଲେ ସେ ଆଉ ଶୁଣି ନଥିଲେ । ପରିବାରଲୋକ ଆସି ମହେଶଙ୍କୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।
ଏକଥା ସ୍ତ୍ରୀ ସକୁନା ଜାଣିବା ପରେ ସେ ସ୍ବାମୀଙ୍କ ପାଖକୁ ଯାଇ ଭୋଭୋ ହୋଇ କାନ୍ଦିଥିଲେ । ସ୍ବାମୀଙ୍କ ଛାତି ଉପରେ ମୁଣ୍ଡ ରଖି ଟଳି ପଡ଼ିଥିଲେ । ପରିବାରଲୋକ ସକୁନାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ଏହାପରେ ଗ୍ରାମବାସୀ ମିଶି ବୃଦ୍ଧ ଦମ୍ପତିଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗୋଟିଏ ଜୁଇରେ ଦମ୍ପତିଙ୍କ ମୃତଦେହ ଜଳୁଥିବା ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ସପିଂ ମଲ୍ ଯାଇଥିଲେ ବାପା ଝିଅ, ଚକଲେଟ୍ ଖାଇବା ପାଇଁ ଫ୍ରିଜ୍ ଖୋଲିବା ବେଳେ ଏମିତି ଚାଲିଗଲା ଜୀବନ
କିଛି ଗ୍ରାମବାସୀ କହିଛନ୍ତି, ମହେଶ ଓ ସକୁନାଙ୍କ ମଧ୍ୟରେ ଏମିତି ଭଲପାଇବା ଓ ସ୍ନେହ ଥିଲା କି ସେମାନେ କେବେ ହେଲେ କଳି କରନ୍ତି ନାହିଁ । ଦୁହିଁଙ୍କ ମଧ୍ୟରେ ଉଚିତ ବୁଝାମଣା ଥିଲା । ସେଥିପାଇଁ ବେଶ ହସଖୁସିରେ ସେମାନେ ସଂସାର ଗଢ଼ିଥିଲେ । ଆଉ ଦେଖନ୍ତୁ ତ ଉଭୟଙ୍କ ମୃତ୍ୟୁ ବି ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସ୍ବାମୀଙ୍କ ମୃତ୍ୟୁ ପରେ ଛାତି ଉପରେ ମୁଣ୍ଡ ରଖି କାନ୍ଦୁଥିବା ବେଳେ ସ୍ତ୍ରୀଙ୍କର ବି ପ୍ରାଣବାୟୁ ଉଡ଼ିଯାଇଥିଲା ।