ସତ ଜଣାଇଦେଲା DNA ରିପୋର୍ଟ! ଏହି ବ୍ୟକ୍ତି ଅଟନ୍ତି ଦୀପିକାଙ୍କ ପିଲାର ବାପା, ଜାଣନ୍ତୁ କିଏ

କିଛିମାସ ତଳେ ଏକ ଶିଶୁକୁ ଧରି ବ୍ରହ୍ମପୁର ବଡବଜାର ଦେଶୀବେହେରା ସାହିରେ ଥିବା ଦିନେଶ ନାମକ ଜଣେ ଯୁବକଙ୍କ ଘର ଆଗରେ ଧାରଣା ଦେଇଥିଲେ ଦୀପିକା। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦୀପିକା ଏବଂ ତାଙ୍କ ପିଲାକୁ ଅପଣାଇବାକୁ ସ୍ପଷ୍ଟ ଭାବରେ ମନା କରି ଦେଇଥିଲେ ଦିନେଶଙ୍କ ପରିବାରବର୍ଗ। 

ଏହାରି ଭିତରେ କିଛି ମାସ ବିତି ଯାଇଥିବା ବେଳେ ପୁଣିଥରେ ଦିନେଶଙ୍କ ଘର ଆଗରେ ବସିଛନ୍ତି ଦୀପିକା। କିନ୍ତୁ, ଏଥର ହାତରେ ଅଛି ଠୋସ୍ ପ୍ରମାଣ। ଆଜ୍ଞା ହଁ, ଡ଼ିଏନଏ ଟେଷ୍ଟ ରିପୋର୍ଟ ଆସିଛି ଯେଉଁଥିରେ ଦୀପିକା ଏବଂ ଦିନେଶ ହିଁ ଶିଶୁଟିର ପ୍ରକୃତ ବାପା ଏବଂ ମାଆ ବୋଲି ପ୍ରମାଣ ମିଳିଛି। ଡ଼ିଏନଏ ରିପୋର୍ଟ ତାଙ୍କ ସପକ୍ଷରେ ଆସିବା ପରେ ଏହା ଦୀପିକାଙ୍କର ଏକ ବଡ଼ ବିଜୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ତେବେ, ୨୦୨୧ରେ ହୋଇଥିବା ମାମଲା ଆଧାରରେ ରାଜ୍ୟ ଫରେନ୍‌ସିକ୍ ଲାବରେଟୋରୀ ଏହି ରିପୋର୍ଟ ଦେଇଛି। ଏବେ ଦୀପିକା ଏହାର ଏକ ସାର୍ଟିଫାଏଡ୍ କପି ଆଣି ପୁଣିଥରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରମାଣ ଏବେ ତାଙ୍କ ସପକ୍ଷରେ ଥିବା ବେଳେ କୋର୍ଟର ନିଷ୍ପତ୍ତି ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିବା ଦୀପିକା ଗଣମାଧ୍ୟମ ଆଗରେ କହିଛନ୍ତି।