ଦେଖନ୍ତୁ ଭିଡିଓ: ଭିଡ଼ ଭିତରକୁ ଧାଇଁ ଆସିଲେ ସହିଦ ସରୋଜଙ୍କ ପତ୍ନୀ, ସହିଦ ସ୍ୱାମୀଙ୍କୁ ଶେଷଥର ପାଇଁ ଦେଖିବାକୁ

ଲୁହରେ ଭିଜୁଚି ସହିଦଙ୍କ ଜନ୍ମଭୂମି । ସାରା ଗାଁରେ ଏବେ ଶୋକାକୁଳ ପରିବେଶ । ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ପୁଅ ସରୋଜ କୁମାର ଦାସଙ୍କ ଢେଙ୍କାନାଳ ଜିଲ୍ଲା ପୈତୃକ କେନ୍ଦୁଢିପ ଗାଁରେ କିଛି ଏଭଳି ଦୃଶ୍ୟ ଦେକିବାକୁ ମିଳିଛି । ବୀର ପୁଅକୁ ମନେପକେଇ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ସହିଦ ସରୋଜ ଦାସଙ୍କ ବାପା । ସେନାରେ ଚୟନ ବେଳେ ଛାତିକୁ ପଥର କରି ଦେଶ ମାତୃକାର ସେବା କରିବା ଲକ୍ଷ୍ୟରେ ସେନା ବାହିନୀରେ ଯୋଗେ ଦେଇଥିବା ପୁଅ ସରୋଜକୁ ଦେଇଥିଲେ ସାହସ ।

ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଗାର୍ଡ ଅଫ୍ ଅନର ଦିଆଯାଇଥିବାବେଳେ ସେଠାରେ ଉପସ୍ଥିତ ଥିଲେ ତାଙ୍କ ବଡ଼ ଭାଇ । ସହିଦ ସରୋଜଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିମାନେ ।

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରୋଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନିଜ ଗାଁ ଅଭିମୁଖେ ଯାଇଥିଲା ପାର୍ଥିବ ଶରୀର । ବାଟସାରା ସହିଦଙ୍କୁ ଶେଷ ସଲାମ କରିବା ପାଇଁ ଅପେକ୍ଷା କରିଥିଲେ ଲୋକେ । ଶେଷରେ ନିଜ ଗାଁ କେନ୍ଦୁଢିପରେ ପହଞ୍ଚିବା ପରେ ସହିଦ ସରୋଜ ଦାସ ଅମର ରହେ ନାରା କମ୍ପିପଡ଼ିଥିଲା ଆଖପାଖ ଅଞ୍ଚଳ । ଶେଷଯାତ୍ରାରେ ହଜାରହଜାର ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ସଞ୍ଜ ଗଡ଼ୁଗଡ଼ୁ ଶେଷ ହୋଇଥିଲା ଅନ୍ତିମ ସଂସ୍କାର । ପଞ୍ଚଭୂତରେ ବିଲୀନ ହୋଇଥିଲେ ଭାରତ ମାତାର ଏହି ବୀର ଯବାନ ।

ଦେଖନ୍ତୁ ଭିଡିଓ :-

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସିକ୍କିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଓଡିଆ ଯବାନ ସରୋଜଙ୍କୁ ମିଶାଇ ମୋଟ ୨୩ ଜଣ ଯବାନ ସେନା ଗାଡିରେ ବସିଥିବା ବେଳେ ଭାସିଯାଇଥିଲେ । ଦୁଇ ଦିନ ପରେ ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ । ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାକୁ ଆସିବାର ଥିଲା ମାତ୍ର କୌଣସି କାରଣ ବଶତଃ ଆସିପାରି ନଥିଲା । ତେଣୁ ଆଜି ଜନ୍ମମାଟିକୁ ଆସିଥିଲା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ।