ପୁଣି ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଲା ଶିଶୁ କନ୍ୟା! ଜନ୍ମ ପରେ ଖତ ଗଦାକୁ ଫୋଫାଡ଼ି ଦେଲେ ପରିବାର ଲୋକ।

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଭୁର୍ସିଗୁଡା ଗାଁର ଏଜ ଖତଗଦାରୁ ଉଦ୍ଧାର କରାଯାଇଛି ଶିଶୁକନ୍ୟା। ଜନ୍ମର କିଛି ସମୟ ପରେ ଖତଗଦାରେ ଫିଙ୍ଗିଦେଲା ଜନ୍ମକଲା ମାଆ ଓ ପରିବାର। ଅଲୋଡ଼ା ହେଲା ଶିଶୁକନ୍ୟା।

ସୂଚନା ଅନୁଯାୟୀ, ବୁଧବାର ଗାଁର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିବାବେଳେ ପାଖରେ ଥିବା ଏକ ଖତଗଦାରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା। କଣ ହୋଇଛି ବୋଲି ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେ ଦୃଶ୍ୟ ହୃଦୟକୁ ଥରାଇ ଦେଇଥିଲା। ଏକ ନବଜାତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡ଼ିରହି ମରଣ ସହ ଲଢେଇ କରୁଥିଲା।

ତୁରନ୍ତ ଗାଁର ଆଶା, ଅଙ୍ଗନବାଡ଼ି, ସ୍ଥାନୀୟ ପୁଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀଙ୍କୁ ଖବର ଦିଆଯାଇଥିଲା। ପରେ ଶିଶୁକନ୍ୟାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶିଶୁକନ୍ୟା ବିଷୟରେ ଜିଲା ସିଡବ୍ଲ୍ୟୁସି ଓ ଶିଶୁ ସୁରକ୍ଷା ସମ୍ଭାଗକୁ ଅବଗତ କରାଯାଇଛି।