ସତରେ ପ୍ରେମରେ ଏମିତି କି ଶକ୍ତି ଅଛି ଯେ, ଭଲକୁ ମନ୍ଦ ଓ ମନ୍ଦକୁ ଭଲରେ ପରିଣତ କରିଦିଏ । କାହାକୁ ପ୍ରେମରେ ପାଗେଳ କରିଦିଏ ତ କାହାକୁ ନଷ୍ଟ କରିଦିଏ । କେବେ ସମ୍ପର୍କକୁ ଖରାପ କରିଦିଏ ତ କେବେ ନୂଆ ଏକ ସମ୍ଭାବନାକୁ ସୃଷ୍ଟି କରେ ।
ଠିକ୍ ସେମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଯେଉଁଠି ପ୍ରେମ -ଦୁଇ ବୟସ୍କଙ୍କୁ ପୁଣି ଥରେ ପ୍ରେମରେ ପକାଇବାକୁ ସକ୍ଷମ ତ ହୋଇଛି କିନ୍ତୁ ଏଥିପାଇଁ ସେମାନଙ୍କୁ ବଦନାମ କରିବାକୁ ବି ପଡ଼ିଛି । କେବଳ ସେତିକି ନୁହେଁ ମାମଲା ଏବେ ଥାନାକୁ ବି ଯାଇଛି । ଜାଣନ୍ତୁ କଣ ସେହି ମାମଲା…
ଝିଅ ପାଇଁ ପୁଅ ଖୋଜିବାକୁ ଯାଇଥିଲେ ମାଆ । ଅତିଥିଙ୍କ ସତ୍କାର ମଧ୍ୟରେ ପୁଅ ଦେଖା ହୋଇଗଲା । ଏହାରି ମଧ୍ୟରେ ଝିଅର ମା’ଙ୍କ ନଜର କିନ୍ତୁ ହଟୁନଥାଏ ସମୁଦିଙ୍କ ଉପରୁ । ବନ୍ଧୁ ବାନ୍ଧିବାକୁ ଯାଉଥିବା ସମୁଦି ମଧ୍ୟ ସମୁଦୁଣିଙ୍କୁ ଏକ ଲୟରେ ଅନାଇ ରହିଥାନ୍ତି । ଆଖିରେ ଆଖିରେ ବୋଧେ ହୋଇଗଲା ପ୍ରେମ ।
ବୋଧେ ନୁହେଁ ଆଜ୍ଞା ସତରେ ଏ ସମୁଦୁଣି-ସମୁଦି ପଡିଗଲେ ପ୍ରେମରେ । ଆଉ ତାପରେ ଯାହା ହେଲା ଆପଣ ମୁଣ୍ଡରେ ହାତ ଦେଇ ବସିବେ । ପୁଅ ଝିଅଙ୍କ ବିବାହ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା ତାହାର ଢେର୍ ପୂର୍ବରୁ ସେମାନେ ଫେରାର ମାରିଲେ ।
ପୁଅର ବାପା ଓ ଝିଅର ମାଆ କେଉଁଆଡ଼େ ଘର ଛାଡ଼ି ପଳାଇଲେ । ଇଏ କି କଥା ବଢିଲା ପିଲାଙ୍କ ବୟସ୍କ ବାପା ମାଆଙ୍କ ଏଭଳି କାର୍ଯ୍ୟକୁ ଚାରିଆଡ଼େ ନିନ୍ଦା କରାଯାଇଛି । ଏପରିକି ଏହି ମାମଲା ଏବେ ଥାନାକୁ ଯାଇଛି । ଉଭୟଙ୍କୁ ଖୋଜିବାକୁ ଏବେ ପୋଲିସ ଚାରିଆଡ଼େ ପଇଁତରା ମାରୁଛି । ସେପଟେ ଯିଏ ଏ କଥା ଶୁଣୁଛି ନାକରେ ଆଙ୍ଗୁଠି ଦେଇ ହସୁଛି ।