ନିଜର ୪ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲା ବାପା! ଜାଣନ୍ତୁ ପୁରା ଖବର…

ରାଜଧାନୀ ନୂଆଦିଲ୍ଲୀରେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ୧୮ରେ ପୁଲିସ ନିକଟକୁ ଏକ ଫୋନ ଆସିଥିଲା। ଜଣେ ଘର ମାଲିକ ଏହି ଫୋନ କରିଥିଲେ। ତାଙ୍କ ଭଡ଼ାଟିଆ ଘର ଖୋଲୁ ନ ଥିବା ବ୍ୟକ୍ତି ଜଣକ ପୁଲିସକୁ କହିଥିଲେ। ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଘର ମାଲିକ ନିତିନ ଚୌହାନ ଙ୍କ କହିବା ଅନୁଯାୟୀ, ତାଙ୍କ କେୟାରଟେକର ୩ୟ ମହଲା ସଫେଇ କରିବାକୁ ଯାଇଥିବାବେଳେ ଏକ ଘର ଭିତରୁ ଦୁର୍ଗନ୍ଧ ଆସିଥିଲା। ସେ ଯେତେ କବାଟ ବାଡ଼େଇଲେ ମଧ୍ୟ କେହି ଖୋଲି ନ ଥିଲେ।

ପୁଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶିବା ବେଳକୁ ପ୍ରଥମ ଘରେ ହୀରାଲାଲ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ଅନ୍ୟ ଏକ ଘରେ ତାଙ୍କ ୪ ଝିଅଙ୍କ ମୃତଦେହ ପଡ଼ିଥିଲା।

ପଡ଼ୋଶୀମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ହୀରାଲାଲଙ୍କ ସ୍ତ୍ରୀ କିଛି ବର୍ଷ ତଳେ କର୍କଟରେ ପ୍ରାଣ ହରାଇଥିଲେ। ସାନ ଦୁଇ ଝିଅ ଦିବ୍ୟାଙ୍ଗ। ହୀରାଲାଲ ସ୍ଵଳ୍ପ ରୋଜଗାରରେ ପରିବାର ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ସେହି କାରଣରୁ ସେ ନିଜ ୪ ଝିଅଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରୁ ୩ ପ୍ୟାକେଟ ସେଲଫସ ବିଷ ଜବତ କରିଛି।