ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ତାଙ୍କ ବିନା ଅନୁମତିରେ ପୁରୀରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ। ମାଆଙ୍କର ଅତିପ୍ରିୟ ଭୋଗ ଅବଢା । ହେଲେ ପାର୍ବଣ ଋୁତରେ ମାଆଙ୍କ ପାଖରେ ଭୋଗ ହୁଏ ଆମିଷ। ଏହି ପରମ୍ପରା କାହିଁ ଅନାଦି କାଳରୁ ବିମଳା ମନ୍ଦିରରେ ପାଳନ ହୋଇଆସୁଛି । କିନ୍ତୁ ମନରେ ପ୍ରଶ୍ନ ଉଠେ, ଯଦି ମାଆଙ୍କର ପ୍ରିୟ ଭୋଗ ଅବଢା, ତେବେ ଆମିଷ କାହା ଉଦ୍ଦେଶ୍ୟରେ ଭୋଗ ହୁଏ ? କେବେ ଭୋଗ ହୁଏ ?
ପାର୍ବଣ ପାଇଁ ପୁରପଲ୍ଲୀ ଉତ୍ସବମୁଖର । ଦେବୀଙ୍କ ପାଖରେ ଷୋଡଶ ଉପଚାରରେ ପୂଜା ଚାଲେ । ଏହି ପାର୍ବଣ ସମୟଯରେ ବିମଳା ମନ୍ଦିରରେ ହେଉଥିବା ପୂଜା ସାମାନ୍ୟ ଅଲଗା । ଅର୍ଥାତ୍ ପରମ୍ପରା ଅନୁସାରେ ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀରେ ମାଆଙ୍କ ପାଖରେ ମାଛ ଭୋଗ ହେବା ସହିତ ବୋଦାବଳି ପଡ଼େ। ଜାଣି ଆଶ୍ଚର୍ଯ୍ୟ ହେବେ ନିସ୍ତବ୍ଧ ରାତିରେ ଏହି ପୂଜା ସଂପନ୍ନ ହୁଏ ।
ଆଦିଶକ୍ତି ଉପାସନାର ସବୁଠାରୁ ବଡ଼ ପର୍ବ ହେଉଛି- ନବରାତ୍ରୀ । ଶରତ ଏବଂ ବସନ୍ତ ଋତୁର ନବରାତ୍ରିରେ କୋଟି କୋଟି ଭକ୍ତ ଦେବୀଙ୍କ ଉପାସନା କରି ବରଦାନ ପାଆନ୍ତି । ଶକ୍ତିର ପ୍ରତୀକ ହେଉଛନ୍ତି ଦେବୀ ଦୁର୍ଗା । ସମଗ୍ର ଦେଶରେ ଥିବା ପ୍ରସିଦ୍ଧ ଓ ପ୍ରମୁଖ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ଶ୍ରୀକ୍ଷେତ୍ରର ବିମଳାଙ୍କ ପୀଠ ଅନ୍ୟତମ । ଶ୍ରୀମନ୍ଦିର ବେଢ଼ାରେ ଅର୍ଚ୍ଚିତା କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କର ଶାରଦୀୟ ଦୁର୍ଗାପୂଜା ଅବସରରେ ବିଶେଷ ପୂଜାର୍ଚ୍ଚନା ହୁଏ । ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ପରେ ସମ୍ପ୍ରତି ଅନୁଷ୍ଠିତ ହେଉଛି ଦେବୀ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ।
ଦେବୀ ବିମଳାଙ୍କୁ ଆମିଷ ଭୋଜିନୀ ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ପ୍ରକୃତରେ ସେ ପରମ ବୈଷ୍ଣବୀ, ସେ ମହାଲକ୍ଷ୍ମୀ, ମହାକାଳୀ ଓ ମହା ସରସ୍ୱତୀ । ଦେବୀ ବିମଳା ଆମିଷ ନୈବେଦ୍ୟ ଗ୍ରହଣ କରନ୍ତି ନାହିଁ । ହେଲେ ମାଆଙ୍କ ୨ ପାର୍ଶ୍ଵରେ ଥିବା ଛାୟା ଓ ମାୟା ଯୋଗିନୀ ଆମିଷ ଗ୍ରହଣ କରନ୍ତି । ସୂଚନା ଅନୁସାରେ, ବଳି ଉତ୍ସର୍ଗ ହେବା ପରେ ରକ୍ତ ଦେବୀଙ୍କ ୨ ପାର୍ଶ୍ୱରେ ଥିବା ଛାୟା ଓ ମାୟା ପାନ କରନ୍ତି ।
ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ରହିଛି । ଏହି ୩ ଦିନ ନିଶାର୍ଦ୍ଧରେ ବିମଳାଙ୍କ ପାଖରେ ଆମିଷ ଭୋଗ ହୁଏ । ଭୋଗ ପ୍ରସ୍ତୁତି ପାଇଁ ବିମଳାଙ୍କ ମନ୍ଦିର ପାର୍ଶ୍ୱରେ ତାଟି ଘେରାଯାଇ ନିର୍ମିତ ହୁଏ ସ୍ୱତନ୍ତ୍ର ରୋଷଶାଳା । ଶ୍ରୀଜିଉଙ୍କ ପହୁଡ଼ ପରେ ମନ୍ଦିର ଶୋଧ କରାଯାଇ ଅସ୍ଥାୟୀ ରୋଷଶାଳାରେ ଆମିଷ ଭୋଗ ରନ୍ଧାଯାଏ । ମନ୍ଦିରର ସୁଆରମାନେ ଭୋଗ ପାଇଁ କାନିକା, ଡାଲି, ମାଛ ବେସର, ମାଛଭଜା ଓ ଖିରି ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଭୋଗରନ୍ଧା ସରିବା ପରେ ଛାଗବଳି ପ୍ରଥା ଆରମ୍ଭ ହୁଏ ।
କଳାରଙ୍ଗର ବସ୍ତ୍ର ପରିହିତ କଟାରିଆ ଛାଗବଳି ପକାନ୍ତି । ଛାଗର ମୁଣ୍ଡ କଟାଯିବା ପରେ ତାହାକୁ ଚାଉଳ ରହିଥିବା ୨ଟି ସରାରେ ରଖାଯାଏ ଓ ସେଥିରେ କିଛି କଦଳୀ ମଧ୍ୟ ରଖାଯାଏ । ବିମଳାଙ୍କ ସମ୍ମୁଖରେ ଏହି ସରା ଦୁଇଟି ରଖାଯାଇ ପୂଜାର୍ଚ୍ଚନା କରାଯାଏ । ସହରବାସୀ ଗଭୀର ନିଦ୍ରାରେ ଥିବାବେଳେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ ।
ବିମଳାଙ୍କ ନିକଟରେ ମାନସିକ କରାଯାଇଥିବା ଅନ୍ୟ ଛାଗବଳି ବଣିଆପଟିରେ ଥିବା ବିମଳାଙ୍କ ପ୍ରତିନିଧି ରୂପେ ପରିଚିତା କାକୁଡ଼ିଖାଇଙ୍କ ନିକଟକୁ ପକାଯାଏ । ଏହି ତିନି ଦିନ ପୂଜା ଅବସରରେ ଦେବୀ ବିମଳାଙ୍କ ଭୋଗ ସରଞ୍ଜାମ ପଶ୍ଚିମ ଦ୍ୱାର ବାଟେ ମନ୍ଦିରକୁ ନିଆଯାଏ । ବଡ଼ କଥା ହେଲା, ଷୋଳପୂଜା ସମୟରେ ବିମଳାଙ୍କ ମନ୍ଦିରକୁ କୌଣସି ମହିଳା ଭକ୍ତଙ୍କୁ ଛଡ଼ାଯାଏ ନାହିଁ ।
ପ୍ରତ୍ୟହ ଶ୍ରୀଜିଉମାନଙ୍କ ନିକଟରେ କରାଯାଉଥିବା ମହାପ୍ରସାଦ ବିମଳାଙ୍କ ନିକଟରେ ସମର୍ପିତ ହେବା ପରେ ହିଁ ତାହା ଅବଢା ହୁଏ । ଭୋଗ ଉପରେ ବିମଳାଙ୍କ ବେଲ ପତ୍ର ପଡ଼ିବା ପରେ ତାହା ଅବଢାରେ ପରିଣତ ହୁଏ ।