ନେପାଳର ହସକୁରି ଝିଅଟିଏ ସୃଜନା ସୁବେଦି । ଯେତେବେଳେ ଦେଖିବେ ତାଙ୍କ ମୁହଁରେ ସବୁବେଳେ ଥାଏ ଚେନାଏ ହସ କିନ୍ତୁ ଆଜି ସେ ହସ କୁଆଡେ ହଜି ଯାଇଛି । କାହିଁକିନା ତା ସ୍ବପ୍ନର ମଣିଷ ତାକୁ ଛାଡି ଚାଲିଯାଇଛି ଆର ପାରିକୁ । ସୋସିଆଲ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସୃଜନା। ଖାସ କରି ସ୍ବାମୀଙ୍କୁ କ୍ୟାନସର ରୋଗ ହେବା ପରେ ବେଶୀ ଚର୍ଚ୍ଚାରେ ଥିଲେ ଏହି ମହିଳା ଜଣକ ।
ବାହାଘର ପରେ ଦୁହେଁ ଆମେରିକାରେ ରହୁଥିଲେ । ବେଶ ହସଖୁସିରେ ଚାଲିଥିଲା ସଂସାର ଗାଡ଼ି । କିନ୍ତୁ ସେ ଖୁସିର ସଂସାର ଭିତରେ ସତେ ଯେମିତି କାହାର ନଜର ଲାଗିଗଲା । ଯାହାଙ୍କ ସାଙ୍ଗରେ ଦିନରାତି କାଟୁଥିଲେ ସେ ଆରପାରିକୁ ଚାଲିଗଲେ । ଆଉ ସ୍ବାମୀଙ୍କ ମୃତ୍ୟୁ ପରେ ଏବେ ଆଗକୁ ଜୀବନ କେମିତି କାଟିବେ ସୃଜନା ତାହାକୁ ନେଇ ଚିନ୍ତିତ । ନେପାଳରୁ ଆମେରିକାର ଯାତ୍ରା ସହଜ ନଥିଲା । ଆମେରିକାରେ ରହିବା ପରେ ସୁଃଖ ଦୁଃଖରେ ଚାଲୁଥିଲା ସଂସାର ଗାଡ଼ି । ହେଲେ ହଠାତ୍ ଜଣାପଡ଼ିଲା ବିବେକଙ୍କୁ କ୍ୟାନସର ହୋଇଛି ବୋଲି ।
ଆଜିକାଲି କ୍ୟାନସର ରୋଗରେ ମେଡ଼ିସିନ୍ ବାହାରିଥିବାରୁ ସୃଜନ ଭାବିଲେ କି ଚିକିତ୍ସା କଲେ ସ୍ବାମୀ ସୁସ୍ଥ ହୋଇଯିବେ । ସେଇଥି ଲାଗି ତ ଆତ୍ମବିଶ୍ବାସ ହରାଇନଥିଲେ ସୃଜନା, ଆଉ କ୍ୟାନସର ସହ କରୁଥିଲେ ଲଢେଇ । ଆଜି କାଲିର ଆଧୁନିକ ଓ ସ୍ବାର୍ଥପର ସମାଜରେ ଯେଉଁଠି କିଛି ସ୍ବାମୀ ସ୍ତ୍ରୀ ଏକ୍ସଟ୍ରା ମେରେଟିଆଲ ଆଫେଆର୍ସରେ ରହି ପରିବାର ଓ ପିଲାଛୁଆଠୁ ଦୂରେଇ ଯାଉଛନ୍ତି ତ ଆଉ କେହି ସାରା ଜୀବନ ସାଥି ହୋଇ ଚାଲିବାର କଥା ଦେଇ ମଧ୍ୟ ଅଧା ବାଟରେ ହାତ ଛାଡି ଦେଉଛନ୍ତି , କିନ୍ତୁ ସେହି ସମାଜର ଜଣେ ସ୍ତ୍ରୀ କରିଚାଲିଥିଲା କର୍କଟ ପୀଡିତ ସ୍ୱାମୀର ନିସ୍ବାର୍ଥପର ସେବା ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡିଓ ଗୁଡିକୁ ଯେ କେହି ବି ଦେଖିବ ଭାବବିହ୍ବଳ ହୋଇ ପଡିବ । ସ୍ବାମୀ ବିବେକଙ୍କୁ ଖୁସିରେ ରଖିବା ପାଇଁ ସ୍ତ୍ରୀ ସୃଜନା ନିଜ ସୁଖ ସ୍ବାଚ୍ଛନ୍ଦକୁ ପର କରିଦେଇଥିଲେ । ସେଇଥି ଲାଗି ତ କେମୋ ନେବା ପରେ ବି ସ୍ବାମୀଙ୍କ ସହ ସେ ନିଜର ଚୁଟି ମଧ୍ୟ କାଟିଦେଇଥିଲେ । ରାତି ଦିନ ଏକ କରି ଅନିଦ୍ରା ରହି କରିଚାଲିଥିଲେ ସେବା । ପ୍ରତି ମୁହୁର୍ତ୍ତରେ ସେ ଖୁସି ରଖୁଥିଲେ ବିବେକଙ୍କୁ । ହସ୍ପିଟାଲ ବେଡ୍ ଠୁ ନେଇ ଘର ପର୍ୟ୍ୟନ୍ତ ତାଙ୍କ ଛାଇ ପରି ପାଖେ ପାଖେ ରହୁଥିଲେ ।
ସୃଜନଙ୍କ ଏହି ଭିଡିଓ ସବୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ୟୁଜର୍ସ ବାଃ ବାଃ ଦେଉଥିଲେ ସୃଜନାଙ୍କ ସେବାକୁ । ବିବେକଙ୍କ ସହ ବିତାଉଥିବା ପ୍ରତ୍ୟେକ ଛୋଟ ଛୋଟ ମୂହୁର୍ତ୍ତକୁ ସେ ସେୟାର କରୁଥିଲେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ । ସବୁ ଫ୍ୟାନ୍ସ କହୁଥିବେ ଏହି ଦମ୍ପତ୍ତିଙ୍କୁ ପ୍ରଭୁ ସବୁ ପ୍ରକାର ଖୁସି ଦିଅନ୍ତୁ । ସୃଜନାଙ୍କୁ ଦେଖିଲେ ଅର୍ଦ୍ଧାଙ୍ଗିନୀର ପ୍ରକୃତ ଅର୍ଥ ବୁଝା ପଡ଼ୁଥିଲା । ସ୍ନେହ ପ୍ରେମ ଭଲପାଇବାର ସହ ସେବା କରିଚାଲିଥିଲେ । କାରଣ ସେ ବି ପଣ କରିସାରିଥିଲେ କର୍କଟକୁ ହରେଇ ସ୍ବାମୀଙ୍କ ସହ ସାରା ଜୀବନ ପୁଣି ହସ ଖୁସିରେ ସଂସାରକୁ ଆଗେଇ ନେବେ ।
କେତେ ହସ ଖୁସିରେ ଚାଲିଥିଲା ତାଙ୍କ ଜୀବନ କିନ୍ତୁ ସତେ ଯେମିତି ମୂହୁର୍ତ୍ତକେ ବଦଳିଯାଉଛି ସବୁ କିଛି । ହସ ଖୁସିରେ ଚାଲିଥିବା ସଂସାରକୁ ମାଡି ବସୁଛି ଦୁଃଖର ପାହାଡ । କର୍କଟ ରୋଗର ଥାର୍ଡ ସ୍ଟେଜରେ ଥିବା ବିବେକଙ୍କର ଚାଲିଲା ଦିର୍ଘ ଦିନ ଧରି ଚିକିତ୍ସା । ହେଲେ କଣ ହେବ,କଥାରେ ଅଛି କପାଳ ଲିଖନ କେ କରିବ ଆନ । ଶେଷରେ ତାଙ୍କ ସାଂସାରିକ ଜୀବନରେ ପଡିଛି ପୂର୍ଣ୍ଣଛେଦ । ସତେ ଯେମିତି ସୃଜନାଙ୍କ ଉପରେ ଆକାଶଟା ଛିଡି ପଡିଛି । କର୍କଟ ସହ ଯୁଦ୍ଧ କରି କରି ଚିର ନିଦ୍ରାରେ ଶୋଇଯାଇଛନ୍ତି ତାଙ୍କ ସ୍ବାମୀ ବିବେକ ।ସୃଜନା ଆଜି କର୍କଟକୁ ହରାଇ ସ୍ବାମୀଙ୍କୁ ଫେରାଇ ଆଣି ପାରିନାହାନ୍ତି ସତ କିନ୍ତୁ ଆଜିର ମହିଳା ମାନଙ୍କ ପାଇଁ ପାଲିଟି ଯାଇଛନ୍ତି ଉଦାହରଣ । ଯୁଗେ ଯୁଗେ ତାଙ୍କୁ ଏ ସମାଜ ଅର୍ଦ୍ଧାଙ୍ଗିନୀର ପ୍ରକୃତ ସ୍ବରୁପ ଭାବରେ ମନେ ରଖିବ ।