ଆଉ ଏକ ନିରୀହ ଶିଶୁ କନ୍ୟାକୁ ବୁଦା ରୁ କରାଗଲା ଉଦ୍ଧାର। ପୋଷ୍ୟ ଭାବେ ଗ୍ରହଣ କଲେ ପୁଲିସ ଅଧିକାରୀ…

ଘଟଣାଟି ଗାଜିଆବାଦର ୱେବ ସିଟି ଥାନା ଅଞ୍ଚଳର ଡାସନା ଅନ୍ତର୍ଗତ ଇନାୟତପୁରର। ଦୁର୍ଗାଅଷ୍ଟମୀ ଦିନ ଏକ ବୁଦା ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। 

ଗ୍ରାମବାସୀ ବୁଦା ଭିତରୁ ନବଜାତର କାନ୍ଦ ସ୍ବର ଶୁଣି  ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ବୁଦା ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୁଲିସ ଶିଶୁର ପରିବାର‌ଲୋକଙ୍କ ସୂଚନା ପାଇବା ପାଇଁ ତଦନ୍ତ ଜାରି ରଖିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ। 

ଡାସନା ପୁଲିସ ଷ୍ଟେସନର ଅଧିକାରୀ ପୁଷ୍ପେନ୍ଦ୍ର ସିଂହ ନବଜାତ ଶିଶୁକୁ ଦେଖିବା ପରେ ତାକୁ ଆପଣାଇବାର ବିଚାର କରିଥିଲେ। ଏହାପରେ ଅଧିକାରୀ ତାଙ୍କ ସ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପୁ‌‌ଷ୍ପେନ୍ଦ୍ରଙ୍କ ପ୍ରସ୍ତାବରେ ସ୍ତ୍ରୀ ବି ରାଜି ହୋଇଯାଇଥିଲେ।

ଥାନା ଅଧିକାରୀ ପୁଷ୍ପେନ୍ଦ୍ର ୨୦୧୮ରେ ବିବାହ କରିଥିଲେ। ତଥାପି ତାଙ୍କର ସନ୍ତାନ ଟିଏ ହୋଇପାରିଲା ନାହିଁ। ଏଭଳି  ଦୁଃଖ ସମୟରେ ପୁଷ୍ପେନ୍ଦ୍ର ବୁଦା ଭିତରୁ ଶିଶୁକୁ ପାଇ ତାକୁ ଆପଣାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିଶେଷ କଥାଟି ହେଉଛି ଦୁର୍ଗା ଅଷ୍ଟମୀ ଦିନ ଶିଶୁ କନ୍ୟାକୁ ପାଇଥିବାରୁ ଦେବୀଙ୍କୁ ପାଇଥିବା ପୁଷ୍ପେନ୍ଦ୍ର ବିଶ୍ବାସ କରିଛନ୍ତି। ଧରାପୃଷ୍ଠରେ ମା’ ଦୁର୍ଗାଙ୍କ ଆଗମନ ହୋଇଥିବା ସମୟରେ କନ୍ୟାକୁ ଘରକୁ ନେବା ପାଇଁ ପୁଷ୍ପେନ୍ଦ୍ରଙ୍କ ସ୍ତ୍ରୀ ରାଶି ବେଶ ଖୁସି ଅଛନ୍ତି।