ଅଷ୍ଟ୍ରେଲିଆ ସରକାର ଙ୍କ ନୂଆ ଆଇନ୍ । ୧୬ ବର୍ଷରୁ କମ୍ ବୟସ୍କ ପିଲାମାନେ ବ୍ୟବହାର କରିପାରିବେ ନାହିଁ ସୋଶାଲ ମିଡିଆ। ଅଷ୍ଟ୍ରେଲିଆ ସରକାରଙ୍କ ପାର୍ଲମେଣ୍ଟରେ କିଶୋରମାନଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏଭଳି ଏକ ବିଲକୁ ଅନୁମୋଦନ ମିଳିଛି।
ଏହି ବିଲରେ କିଶୋରମାନେ ଟିକଟକ, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଓ ଏକ୍ସ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ ବୋଲି ପ୍ରାବଧାନ ରହିଛି। ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଆଉ ଏଭଳି ସୁଯୋଗ ମିଳିପାରିବନି।
ସୋଶାଲ ମିଡିଆରେ ଆସୁଥିବା କଣ୍ଟେଣ୍ଟ ପିଲାମାନଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏହିପରି ଆଇନ ପ୍ରଣୟନ କରାଯାଇଛି।
ଯଦି କୌଣସି ସୋଶାଲ ମିଡିଆ କମ୍ପାନୀ ଏ ସମ୍ପର୍କୀତ ଆଇନକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଦେବାର ଆଇନରେ ବ୍ୟବସ୍ଥା ରହିଛି। ଏଭଳି ଆଇନ୍ ଦେଶରେ ଯୁବ ଓ କିଶୋରମାନଙ୍କ ହେଉଥିବା କ୍ଷତିକୁ ରୋକିପାରିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ କହିଛନ୍ତି।
ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ ଛୋଟ ପିଲାଙ୍କ ପାଇଁ ସୋଶାଲ ମିଡିଆର ବ୍ୟବହାର ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇବାକୁ ଯାଉଛି।ସୋଶାଲ ମିଡିଆ ସର୍ବନିମ୍ନ ବୟସ ବିଲକୁ ଅଷ୍ଟ୍ରେଲିଆର ଅଧିକାଂଶ ସାଂସଦ ସମର୍ଥନ କରିଛନ୍ତି।
ଏହି ନିୟମର ଟ୍ରାଏଲ ପ୍ରକ୍ରିୟା ଜାନୁଆରୀ ମାସରୁ ଆରମ୍ଭ ହେବ। ବର୍ଷକ ମଧ୍ୟରେ ପୂରା ଦେଶରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।