ବାଲେଶ୍ୱର ସହରରେ ଜାରି ହେଲା କର୍ଫ୍ୟୁ! ଘରୁ ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ଦେଲେ ନିର୍ଦ୍ଦେଶ…

ବାଲେଶ୍ବର ସହର ଏବେ ପାଲଟିଛି ଯୁଦ୍ଧକ୍ଷେତ୍ର। ସୋମବାର ଅପରାହ୍ନରେ ବାଲେଶ୍ବର ସହର ସୁନହାଟ ଅଞ୍ଚଳରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଠାରେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି ଅପରାହ୍ନରେ ହଠାତ୍ ଲୋକମାନେ ଉକ୍ତ ଅଞ୍ଚଳର ଡ୍ରେନ୍‌ରେ ନାଲି ରଙ୍ଗର ପାଣି ଦେଖିଥିଲେ। ଡ୍ରେନ୍‌ରେ ଏତେ ସଂଖ୍ୟକ ନାଲି ରଙ୍ଗର ଜଳ ପ୍ରବାହିତ ହେଉଥିବା ଦେଖି ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ନାଳରେ ପ୍ରବାହିତ ଲାଲ୍‌ ରଙ୍ଗର ପାଣିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆକ୍ରମଣରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ଏହା ଦେଖି ବାଲେଶ୍ବର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

୧୭ ତାରିଖ ରାତ୍ରି ୧୨ ରୁ ୧୮ ତାରିଖ ରାତି ୧୨ ଟା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ। ପରିସ୍ଥିତି ଶାନ୍ତ ନପଡିବା ଯାଏଁ ପୌରାଞ୍ଚଳର ଜନସାଧାରଣ ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ ବଜାର ଓ ଯାତାୟତ ବନ୍ଦ ରହିବ ।

ସଦର ଥାନା, ଟାଉନ ଥାନା ସହଦେବ ଖୁଣ୍ଟା, ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ପୌରାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆଇଜି ଡ. ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା। ଉତ୍ତେଜନା ଲାଗିରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକାଠି ନ ହେବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଇଥିଲା।