ବାରବାଟୀ ଷ୍ଟାଡିୟମର ଆଉ ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିିଛି। ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ଭାଇରାଲ ହେଉଛି । ଷ୍ଟାଡିୟମକୁ କୌଣସି ତମାଖୁ ଜାତୀୟ ଦ୍ରବ୍ୟ ନେବାରେ କଟକଣା ଥିବା ସତ୍ତ୍ୱେ କିପରି ଗଲା ସିଗାରେଟ୍ ବୋଲି ପ୍ରଶ୍ନ ଉଠିଛି । ପୁଣି ଭିଆଇପି ବକ୍ସ ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ନିର୍ଦ୍ୱନ୍ଦ୍ବରେ ବସି ସିଗାରେଟ୍ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ୍ରେ ପ୍ରବେଶ ପୂର୍ବରୁ ଦର୍ଶକଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଇଥାଏ । ପାଣିବଟଲ ହେଉକି, ସାମାନ୍ୟ ବିସ୍କୁଟ୍ ପ୍ୟାକେଟ୍ ମଧ୍ୟ ଷ୍ଟାଡିୟମ୍ ଭିତରେ ପ୍ରବେଶ ନିଷେଧ । ଏହା ଭିତରେ ଏ ବ୍ୟକ୍ତି କେମିତି ସିଗାରେଟ୍ ନେଇ ଭିତରକୁ ଯାଇଛନ୍ତି, ତାହାକୁ ନେଇ ଉଠିଛି ପ୍ରଶ୍ନ । ଏ ବ୍ୟକ୍ତି ଜଣଙ୍କ କାହା ଛତ୍ରଛାୟା ତଳେ ଏଭଳି ବେଖାତିର ଭାବେ ଖୁଲମଖୁଲା ସିଗାରେଟ୍ ଟାଣୁଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖେଳ ଦିନ ଫ୍ଲଡ୍ ଲାଇଟ୍ ଚର୍ଚ୍ଚା ସରିନଥିବାବେଳେ ଏବେ ପୁଣି ଭିଆଇପି ବକ୍ସରେ ସିଗାରେଟ୍ ଟାଣିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । କେମିତି ଓ କିଏ ସିଗାରେଟ୍ ନେଲେ ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ, କାହା ଦାୟିତ୍ବହୀନତାରୁ ବଦନାମ ମୁଣ୍ଡାଇଲା ଓସିଏ । କାହା ଅବହେଳାରୁ ବିଶ୍ବ କ୍ରିକେଟ୍ ସମ୍ମୁଖରେ ନିନ୍ଦିତ ହେଲା ଓଡ଼ିଶା । ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କାଳ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଏଇ ପ୍ରଶ୍ନ, ଏଇ ଉଦବେଗ। ଘଟଣାରେ ବିଭ୍ରାଟର କାରଣ ଖୋଜିବାକୁ ଓସିଏକୁ କ୍ରୀଡ଼ା ବିଭାଗ ନୋଟିସ୍ ଜାରି କରିଥିଲା ବେଳେ ପ୍ରସଙ୍ଗରେ ଲାଗିଛି ରାଜନୀତିର ଛିଟା । ବିରୋଧୀ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ, ମନ୍ତ୍ରୀ କହିଛନ୍ତି ଦୋଷୀ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।