ସଂକ୍ରମଣର ରୂପ ନେବାକୁ ଲାଗିଲାଣି ଡିପଥେରିଆ!

ଓଡ଼ିଶାରେ ଡିପଥେରିଆ ଏବେ ସଂକ୍ରମଣର ରୂପ ନେଉଛି। ରାୟଗଡ଼ା ଜିଲ୍ଲାରୁ ଆରମ୍ଭ ହୋଇ ଏହା କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଚାଲିଛି, ଯାହା ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବାୟୁଦ୍ୱାରା ସଂକ୍ରମିତ ରୋଗକୁ ରୋକିବାକୁ ବୁଧବାରଠାରୁ ଟିକା ଦେବାକୁ ସ୍ଥିର କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। 

କାଶୀପୁର ବ୍ଲକ ମୁନୁଷପଦରର କିଛି ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରେ ପ୍ରାୟ ୫ ଜଣ ପ୍ରାଣ ହରାଇବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ଲକ୍ଷଣକୁ ଦେଖି ଏହା ଡିପଥେରିଆ ବୋଲି ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।

ରାୟଗଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିବା ଡିପଥେରିଆ ଧୀରେ ଧୀରେ ଅନ୍ୟ ଜିଲ୍ଲାମାନଙ୍କୁ ମାଡ଼ିଗଲାଣି। ତେବେ ଡିପଥେରିଆକୁ ନେଇ ଭୟଭୀନ ନହେବା ଲାଗି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ଡିପଥେରିଆ ଏକ ଭୟଙ୍କର ରୋଗ, ଯେଉଁଥିରେ ଜ୍ୱର କାଶ ହେବା ସହ ନାକରୁ ରକ୍ତ ପଡ଼ିବା ମଧ୍ୟ ଲକ୍ଷ୍ୟ କରାଯାଏ। ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା ସହ ଶ୍ୱାସ ଗ୍ରନ୍ଥୀ ଫୁଲିବା ବି ଦେଖାଯାଇଥାଏ। ଉଚିତ ଚିକିତ୍ସା ନହେଲେ ତାହାଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ପ୍ରଥମରୁ ଅଜଣା ରୋଗ ଭାବେ ପରିଚିତ ଥିବା ଏହି ଡିପଥେରିଆ ୫ ଜଣଙ୍କ ଜୀବନ ନେବା ପରେ ଏବେ ଆଣ୍ଟି ବାୟୋଟିକ୍‍ ଦ୍ୱାରା ରୋକାଯାଇପାରିବ ବୋଲି ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି। ଏହା ସହ ଯେଉଁମାନେ ଟିକା ନନେଇଛନ୍ତି ସେମାନଙ୍କୁ ଟିକା ଏବଂ ସମସ୍ତଙ୍କ ଲାଗି ବୁଷ୍ଟର ଡୋଜ୍‍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା। ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଟିକା ନନେଇଥିବେ ସେମାନଙ୍କ ଲାଗି ଟିକା ବ୍ୟବସ୍ଥା କରାଯାଇଛି। ଏହି ଟିକା ୫ରୁ ୧୫ ବର୍ଷ ଏପରିକି ବୃଦ୍ଧ ବ୍ୟକ୍ତି ବି ନେଇପାରିବେ ବୋଲି କୁହାଯାଇଛି। ଅପରପକ୍ଷେ ବିଭାଗ ଏକ ବୁଷ୍ଟର ଡୋଜ ପ୍ରଦାନର ବ୍ୟବସ୍ଥା ବି କରିଛି। ଏଥିରେ ଟିକା ନିଅନ୍ତୁ ବା ନ ନିଅନ୍ତୁ ସବୁ ବର୍ଗର ବ୍ୟକ୍ତି ନେଇପାରିବେ ବୋଲି ସେ କହିଛନ୍ତି। 

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଏହା ଏକ ବାୟୁ ବାହିତ ସଂକ୍ରମଣ। ସାଧାରତଃ ସଂକ୍ରମିତ ରୋଗକୁ ରୋକିବା ଲାଗି ଯେଉଁ ପରିମଳ ବ୍ୟବସ୍ଥା ଗ୍ରହଣ କରାଯାଏ ଯେମିତି ହାତ ଧୋଇବା, ମାସ୍କ ପିନ୍ଧିବା ତାହାକୁ ଗ୍ରହଣ କରିବା ଦରକାର। ପରିସ୍ଥିତି ଉପରେ ଏବେ ନଜର ରଖାଯାଇଛି  ଏବଂ ଗୁରୁତର ରୋଗୀଙ୍କୁ ବିଭିନ୍ନ ହସ୍‍ପିଟାଲ୍‍ ସ୍ଥାାନାନ୍ତର କରାଯାଇଥିବା ସେ କହିଛନ୍ତି। ଷ୍ଟ୍ରନ୍‍ ବଦଳ କିମ୍ବା ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଏପରି ରୋଗ ହୋଇଥାଏ। ଏହାକୁ ଆଣ୍ଟିବାୟୋଟିକ୍‍ ଦ୍ୱାରା ବିଲୋପ କରି ହେବ ଏଣୁ ଭୟର କିଛି କାରଣ ନାହିଁ ବୋଲି ସେ କହିଛନ୍ତି।