ରାତିରେ ଆସି କବାଟ ବାଢେଇଲେ । କବାଟ ଖୋଲିବା ପରେ ଗର୍ଭବତୀ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଗୁଳି ମାରିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ୭ ମାସର ଗର୍ଭବତୀ ଥିଲେ । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ । ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା (୩୦) । ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ୫୦ରେ କେହି ସେମାନଙ୍କ ଘରର କବାଟ ବାଡ଼େଇ ଥିଲେ ।
ଏହା ଶୁଣି ସୀମା କବାଟ ଖୋଲି ଥିଲେ। ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ । ତେବେ ଲୁଟ୍ ସମୟରେ ମହିଳା ଜଣଙ୍କ ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଦୁର୍ବୃତ୍ତମାନେ ଗର୍ଭବତୀ ମହିଳାଙ୍କୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ମହିଳା ଜଣଙ୍କ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ ।
ସୀମା ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା । ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ବୃତ୍ତଙ୍କୁ ସୀମାଙ୍କ ପରିବାର ଲୋକେ ଦେଖିଥିବା କହୁଥିବା ବେଳେ ପ୍ରକୃତରେ କେତେ ଜଣ ଆସିଥିଲେ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ଟିକାୟତପାଲି ଥାନା ଆଇଆଇସି ଅନାମ ଚରଣ ନାୟକ । ଦୁର୍ବୃତ୍ତମାନେ ଲୁଟ୍ ଉଦ୍ଦେଶ୍ୟରେ ଆସି ଏହି ସାତ ମାସର ଗର୍ଭବତୀଙ୍କୁ ଗୁଳି କଲେ ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି, ତାହାର ପୁଲିସର ତଦନ୍ତ କରୁଛି ପୋଲିସ ।