ସମସ୍ତଙ୍କ ଏକ ଧାରଣା ରହିଛି ଯେ ମଧ୍ୟମ ଧରଣର ମଦ୍ୟପାନ କରିବାଦ୍ଵାରା ଲୋକଙ୍କ ସୁସ୍ଥ ପ୍ରତି କୌଣସି ଅସୁବିଧା ହୋଇନଥାଏ। କୁହାଯାଏ ଯେ ରେଡ୍ ଵାଇନ୍ ସେବନ କରୁଥିବା ଲୋକଙ୍କର ହୃଦ୍ରୋଗ ହାର କମ୍ ହୋଇଥାଏ। କିନ୍ତୁ ଏକ ଅନୁଧ୍ୟାନ ଅନୁଯାୟୀ, ଯେକୌଣସି ପରିମାଣର ହେଉ ପଛେ, ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ ଆଦୌ ହିତକାରୀ ନୁହେଁ। ଏପରିକି ଅଳ୍ପରୁ ମଧ୍ୟମ ଧରଣର ମଦ୍ୟପାନ କରୁଥିବା ଲୋକଙ୍କର ବହୁବିଧ କର୍କଟ ରୋଗ ହେବାର ଆଶଙ୍କା ରହିଛି। ସେଥିପାଇଁ ମଦ୍ୟପାନ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ କଦାପି ନିରାପଦ ନୁହେଁ ବୋଲି ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍ଓ) ପକ୍ଷରୁ ଘୋଷଣା କରାଯାଇଛି।
ମଦ୍ୟପାନଠାରୁ ସଂପୂର୍ଣ୍ଣ ଦୂରେଇ ରହିଥିବା ଲୋକଙ୍କ ତୁଳନାରେ ଦିନକୁ ଦୁଇଥର ଅଥବା ସପ୍ତାହକୁ ଥରେ ମଦ୍ୟପାନ କରୁଥିବା ଲୋକଙ୍କର ମୃତ୍ୟୁ ଆଶଙ୍କା ୧୪ ପ୍ରତିଶତ କମ୍ ବୋଲି ପୂର୍ବ ଗବେଷଣାରୁ ନିଷ୍କର୍ଷ ମିଳିଥିଲା। ମାତ୍ର ସେ ସବୁ ତଥ୍ୟଭିତ୍ତିକ ଅନୁଧ୍ୟାନ କେବଳ ବୟସ୍କ ଲୋକଙ୍କ ମଧ୍ୟରେ ସୀମିତ ରହିଥିଲା। ସେଥିରେ ଜୀବନ ତମାମ ମଦ ପିଉଥିବା ଲୋକଙ୍କୁ ସାମିଲ କରାଯାଇ ନଥିଲା। ଅର୍ଥାତ୍ ସେଥିରେ ମଧ୍ୟମ ଧରଣର ମଦ୍ୟପାନ କରୁଥିବା ଲୋକଙ୍କ ସହିତ ମଦଠାରୁ ସଂପୂର୍ଣ୍ଣ ଦୂରେଇ ରହିଥିବା ଓ କୌଣସି ସ୍ବାସ୍ଥ୍ୟ ସମସ୍ୟା ପରେ ମଦ୍ୟପାନ କମାଇ ଦେଇଥିବା ଅଥବା ତ୍ୟାଗ କରିଥିବା ଲୋକଙ୍କ ସହ ତୁଳନା କରାଯାଇଥିଲା। ସୁତରାଂ ତୁଳନାତ୍ମକ ଭାବେ ମଦ୍ୟପାନ ଜାରି ରଖିଥିବା ଲୋକେ ଅଧିକ ସୁସ୍ଥ ବୋଲି ସେଥିରୁ ନିଷ୍କର୍ଷ ବାହାରିଥିଲା।
ମାତ୍ର ଭିକ୍ଟୋରିଆ ବିଶ୍ବବିଦ୍ୟାଳୟର ଏହି ଗବେଷକମାନଙ୍କ ସଦ୍ୟତମ ଅନୁଧ୍ୟାନରେ ୫୫ ବର୍ଷରୁ କମ୍ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥି ସହିତ ପୂର୍ବରୁ ମଦ ପିଇ ଏବେ ଛାଡ଼ିଦେଇଥିବା ଏବଂ ବେଳେ ବେଳେ ମଦ ପିଉଥିବା ଲୋକଙ୍କୁ ମଦ୍ୟନିବୃତ୍ତ ଶ୍ରେଣୀରେ ରଖାଯାଇନଥିଲା। ଏଥିରୁ ମଧ୍ୟମ ଧରଣର ମଦ୍ୟପାନ କରୁଥିବା ଲୋକଙ୍କର ଜୀବନଧାରଣ କ୍ଷମତା ଉନ୍ନତ ଥିବା କଥା ଆଦୌ ନିରୂପିତ ହୋଇନଥିଲା। ସେହିପରି ରେଡ୍ ଵାଇନ୍ରେ ‘ରେସଭେରାଟ୍ରଲ୍’ ନାମକ ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ରକ୍ତରେ କୋଲେଷ୍ଟ୍ରୋଲ୍ ସ୍ତର ଓ ରକ୍ତଚାପ କମାଇବାରେ ସହାୟକ ହୋଇଥାଏ। ତେଣୁ ରେଡ୍ ଵାଇନ୍ ହୃଦ୍ରୋଗ କମାଇଥାଏ ବୋଲି ବିଶ୍ବାସ ରହିଛି। ମାତ୍ର କେତେ ପରିମାଣର ‘ରେସଭେରାଟ୍ରଲ୍’ ଆମ ପାଇଁ ନିରାପଦ, ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ।
ଅପରପକ୍ଷେ, ମଦ ପିଉଥିବା ଲୋକଙ୍କ କ୍ଷେତ୍ରରେ ମୁଖଗହ୍ବର କର୍କଟ, ଗଳା କର୍କଟ, ସ୍ତନ କର୍କଟ ଓ ଅନ୍ତ୍ରାଶୟ କର୍କଟ ପରି ସାତ ପ୍ରକାରର କର୍କଟ ରୋଗର ଆଶଙ୍କା ଅଧିକ ବୋଲି ଜଣାଯାଇଛି।