ଆସନ୍ତା ୨୮ ତାରିଖରେ ପଡୁଛି କୁମାରପୂର୍ଣ୍ଣିମା ଆଉ ସେହି ଦିନ ହିଁ ପଡୁଛି ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ସେଦିନର ଦିନଚର୍ଯ୍ୟା, ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ।
ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ । ବୃଦ୍ଧ, ରୋଗୀ, ଶିଶୁ, ବିଦେଶରେ ଥିବା ଲୋକଙ୍କ ପାଇଁ ଏହା ପାଳନୀୟ ନୁହେଁ । ଜ୍ୟୋତିର୍ବିଦ କହିଛନ୍ତି ଏହି ଚନ୍ଦ୍ର ଗ୍ରହଣ ୬ଟି ରାଶି ପାଇଁ ଶୁଭ ଓ ୬ଟି ପାଇଁ ଅଶୁଭ ଫଳଦାୟକ । ଏହା ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଅଶୁଭ । ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପାଇଁ ଶୁଭ ।
ଚନ୍ଦ୍ରଗ୍ରହଣ ବେଳେ ଅନ୍ୟ ସବୁଆଡ଼େ ଦେବନୀତି ମନା ହୋଇଥିଲେ ବି, ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତିକାନ୍ତି । ଏହାହିଁ ଶ୍ରୀମନ୍ଦିରର ସ୍ୱାତନ୍ତ୍ର୍ୟ । ଗ୍ରହଣ ସ୍ପର୍ଶ ସମୟରୁ ହିଁ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ଓ ଗ୍ରହଣ ଖଇକୋରା ଭୋଗ ନୀତି । ଖାଲି ଏତିକି ନୁହେଁ, କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ରହିଛି ଆଉ ଏକ ସ୍ୱତନ୍ତ୍ର ବିଧି । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ପରେ ଅଙ୍ଗିରା ଓ ଭୃଗୁ ଏବଂ ଶେଷରେ କଣ୍ଡୁ ଆଶ୍ରମ ବିଜେ ହୁଅନ୍ତି ଚକ୍ରରାଜ ।
ଆହୁରି ପଢନ୍ତୁ :- ଅକ୍ଟୋବର ମାସରେ ପଡ଼ିବାକୁ ଯାଉଛି ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କଣ ରହିବ ପ୍ରଭାବ?
ତେବେ ଗ୍ରହଣ ପଡ଼ୁଥିବାରୁ, ମଧ୍ୟାହ୍ନ ଧୂପ ପରେ ସୁଦର୍ଶନ ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ, ପାକତ୍ୟାଗ ପୂର୍ବରୁ ରତ୍ନ ସିଂହାସନକୁ ଫେରିଯିବେ । ଏଥିପାଇଁ ନୀତିକାନ୍ତି ତ୍ୱରାନ୍ୱିତ କରିବାକୁ ପାଳିଆ ସେବକଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ହବିଷ୍ୟାଳି ମାନେ କୁମାର ପୂର୍ଣ୍ଣିମା ଠିକ୍ ପରଦିନ କାର୍ତ୍ତିକ ବ୍ରତ ସଂକଳ୍ପ ଧାରଣ କରିବେ ।