ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଗତକାଲି (ରବିବାର) କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।
ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁ ଅଛି । ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।ଗଞ୍ଜାମ ସହିତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରରେ ବନ୍ଦ ରହିବ ସ୍କୁଲ । ଏହାସହ ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକରେ ମଧ୍ୟ ସ୍କୁଲ ବନ୍ଦ ରହିବ । ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ଏହି ସବୁ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି ।
23 ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।ସାମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ବଢିବ ବର୍ଷା । ୩ ଦିନ ଅର୍ଥାତ ୨୩ ରୁ ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଥିବା ବେଳେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।
ଅକ୍ଟୋବର ୨୪ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।’ଦାନା’ ପ୍ରଭାବରେ ବିଶେଷ କରି ଭୀଷଣ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା,ଗଞ୍ଜାମ ଓ ଜଗତସିଂହପୁରକୁ ରେଡ ଆଲର୍ଟ ସହ କେନ୍ଦ୍ରାପଡା, ନୟାଗଡ, ଖୋର୍ଦ୍ଧା ଓ ଗଜପତି, କନ୍ଧମାଳ,ଭଦ୍ରକ , ବାଲେଶ୍ବର ଓ ମୟୂରଭଞ୍ଜରରେ ପ୍ରବଳରୁ ଅତି ପ୍ରବଳ ପାଇଁ ୱାରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଯାଜପୁର ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ରାୟଗଡା,କୋରାପୁଟ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସାମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ୨୫ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି । ସେହିପରି ୨୬ରେ ପ୍ରବଳ ବର୍ଷା ସହ ୨୭ରେ ବି କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ରହିବ ।