ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଶ୍ଳୀଳ ନାଚ । ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ । ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକ ସାଧା ପୋଷାକରେ ଉପସ୍ଥିତ ରହି ଥିବା ବେଳେ ତାଙ୍କ ସମ୍ମୁଖରେ ସାହୁ ଭାଉଜ ଅଶ୍ଳୀଳତାର ସବୁ ସୀମା ଟପି ଯାଇ ଥିଲା ।
ସାହୁ ଭାଉଜ ଷ୍ଟେଜରେ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ନାଚି ନାଚି ପହଞ୍ଚିଇ ଥିଲେ ଥାନାବାବୁଙ୍କ ପାଖରେ। ମଞ୍ଚର ପ୍ରଥମ ଧାଡ଼ିରେ ବସିଥିଲେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ। ମଞ୍ଚରୁ ତାଙ୍କ ଆଡକ ନଇଁ ସାହୁ ଭାଉଜ କରିଥିଲେ ଉଷୁମ୍ କଲା ଭଳି ଡ୍ୟାନ୍ସ। ଭାଉଜଙ୍କ ଏ ଡ୍ୟାନ୍ସରେ ତଡ଼କା ଦେବା ପାଇଁ ଥାନାବାବୁଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପାଣି ବୋତଲ ଦେଇଥିଲେ।
ଆଉ ସାହୁ ଭାଉଜ ସେହି ପାଣି ବୋତଲକୁ ନେଇ ନିଜ ଦେହରେ ଢାଳି ଦୋହଲି ଥିଲେ। ସାହୁ ଭାଉଜଙ୍କ ସେହି ଡ୍ୟାନ୍ସ ଦେଖି ମୁରୁକି ହସୁଥିଲେ ଥାନାବାବୁ। ଆଉ ତାଙ୍କ ପାଖରେ ଓ ପଛରେ ବସିଥିବା ଯାତ୍ରାପ୍ରେମୀ ସାହୁ ଭାଉଜଙ୍କ ସେହି ଅର୍ଦ୍ଧ ନଙ୍ଗୁଲୀ ରୂପକୁ ମୋବାଇଲ୍ କ୍ୟାମେରାରେ କଏଦ କରିବା ପାଇଁ ପ୍ରତିଯୋଗିତା କରିଥିଲେ।
ଆଇଆଇସିଙ୍କୁ ସାହୁ ଭାଉଜ ସମ୍ବୋଧିତ ମଧ୍ୟ କରି ଥିଲେ । ତେବେ ଏପରି ଅଶ୍ଳୀଳତାକୁ ଦେଖି ଆଇଆଇସି ମହୋଦୟ ନା ପ୍ରତିବାଦ କରିଥିଲେ ନା ବନ୍ଦ କରିଥିଲେ । ବରଂ ନୃତ୍ୟକୁ ଉପଭୋଗ କରିଥିଲେ । ଏହାକୁ ନେଇ ମାଲକାନିଗିରିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ମାଲକାନଗିରିରେ ଥାନା ବାବୁଙ୍କ ଆଗରେ ଅଶ୍ଳୀଳ ନୃତ୍ୟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାତ୍ରା ଗାଇଡଲାଇନ ନେଇ ସରକାର ଆହୁରି କଠୋର ହେବେ। ଯଦି ସଂସ୍କୃତି ଉପରେ କୌଣସି ଆଘାତ ଆସିବ, ଅତି କଠୋରତାର ସହ ପଦକ୍ଷେପ ନିଆଯିବ। ଯିଏ ବି ହୁଅନ୍ତୁ ଯଦି ନିୟମ ଉଲଂଘନ କରିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।